ମଧୁ ବର୍ଣ୍ଣବୋଧ କବିତା ମାଳା
ମଧୁ ବର୍ଣ୍ଣବୋଧ କବିତା ମାଳା
ମଧୁ ବର୍ଣ୍ଣବୋଧ ସାର ତତ୍ତ୍ୱ ଏଇ
ପଢ କରି ମନ ସ୍ଥିର
ପ୍ରତ୍ୟେକ ବାକ୍ଯର ସେ ଗୁଢ ରହସ୍ୟ
ବାରେ ଅନୁଧ୍ୟାନ କର ।
କେତେ ଭକ୍ତି ଭାବ ରହିଛି ତାହାର
ଯୋଡି କହୁଥାଏ କର
ତୁମେ ସାଥେ ଥିଲେ କାଞ୍ଚନରେ
ବାଞ୍ଛା ନାହିଁ ମୋର ଚକ୍ରଧର ।
ଭକତିର ଭାବ ଅନ୍ତରେ ଭରିବ
ଆଶ୍ରୟ ଦେବ ପୟର
ଏତିକି ମାଗଇ କୃପା ତୋର ପ୍ରଭୁ
ରହୁ ଆଶୀର୍ବାଦ କର ।
ମିଛ ମାୟା ମୋହ ଏଇତ ଦୁନିଆ
ନୁହଁନ୍ତି କେହି କାହାର
ସ୍ବାର୍ଥ ଥିଲା ବେଳେ ମୋର ମୋର ପ୍ରଭୁ
ସ୍ବାର୍ଥ ସରିଗଲେ ଦୂର ।
ମରିଗଲା ବୋଲି ଦି ଦିନ କାନ୍ଦିବେ
ଦୁଆରେ ଦେବେ ଗୋବର
ରହିଥିବା ଧନ ବାଣ୍ଟିକୁଟି ନେବେ
ସରିଗଲେ ଶୁଦ୍ଧଘର ।
ଲୋଭ ଲାଳସାଟା ଅଢେଇ ଦିନିଆ
ସ୍ବାର୍ଥରେ କରେ ସେ ଘର
ଧନ ଦଉଳତ ଲୋଡା ନାହିଁ ମୋର
ଧର୍ମେ କର ଅଗ୍ରସର ।
ଏଇ ମାଟି ମାଆ ଏଇଠି ରହିବ
ଏ ଶରୀର ନୁହେଁ ମୋର
କାଞ୍ଚନ ପିଛାରେ ଧାଇଁ କି ଲାଭ
ସିଏ କି ଯିବ ସଙ୍ଗର ।
ଧର୍ମବଳ ଥିଲେ ଧର୍ମଟି ପ୍ରାପତ
ପାପେ ନର୍କ ପଥ ସାର
ପୁଣ୍ୟ ଅର୍ଜି ଥିଲେ ଭଲ କର୍ମ କଲେ
ଖୋଲେ ମୁକତିର ଦ୍ବାର ।
କାଞ୍ଚନରେ ବାଞ୍ଛା ନାହିଁ ମୋର ପ୍ରଭୁ
ନାହିଁ ଧନ ଦରକାର
ଏତିକି ମାଗଇ ପ୍ରଭୁ କୃପା ତୋର
ଧରି ଥିବୁ ହାତ ମୋର ।