ସ୍ୱର୍ଗକୁ ନିଶୁଣି
ସ୍ୱର୍ଗକୁ ନିଶୁଣି
ସ୍ୱର୍ଗକୁ ନିଶୁଣି ନିର୍ମାଣ ସମ୍ଭବ
ଏକଥା ସମ୍ପୂର୍ଣ୍ଣ ମିଛ
ମନ ଲୋଭାଣିଆ ଆକାଶ କଇଆଁ
ହ୍ରଦ ଚିଲିକାର ମାଛ ।
ତ୍ରିପୁର ବିଜୟୀ ସମ୍ରାଟ ରାବଣ
ମନେ କାଳେ ଥିଲା ପାଞ୍ଚି
ଜୀଇଁ ଥାଉ ଥାଉ ସ୍ୱର୍ଗକୁ ନିଶୁଣି
ତିଆରିବ ବଳ ସଞ୍ଚି ।
ନୋହିଲା ସମ୍ଭବ ତା ଜୀବଦ୍ଦଶାରେ
ଅତି ଦର୍ପେ ହତ ଲଙ୍କା
ନିହତ ହୋଇଲା ରାକ୍ଷସ ରାବଣ
ଉଦ୍ଧାର ପାଇଲେ ସୀତା ।
ଯାହାକୁ ଯେପରି ଗଢିଛି ଦଇବ
ଭଲ ସ୍ୱସ୍ଥିତି ସ୍ୱଭାବ
ଅତି ଉଚ୍ଚାକାଂକ୍ଷା କଳ୍ପନା ବିଳାସ
ମରୀଚିକା ଅବାସ୍ତବ ।
ମରଣ ଲୋକର ଆମେ ତ ମଣିଷ
ରକ୍ତ ମାଂସ ଦେହ ବହି
ବଞ୍ଚିବୁ ଆନନ୍ଦେ କୁହୁଡ଼ି ପହଁରି
ସ୍ୱର୍ଗ ଚଢ଼ା ଲାଭ ନାହିଁ ।