STORYMIRROR

Pabitra Sahu

Classics Fantasy Inspirational

3  

Pabitra Sahu

Classics Fantasy Inspirational

ମାଆ

ମାଆ

1 min
179

ମାଆ ଡାକ ଯେଉଁ ଦୁଇଟି ଅକ୍ଷର

    ଅମୃତର ଗଙ୍ଗା ଝର

ଆକାଶ, ଧରା ଠୁ ବଳି ସ୍ନେହମୟୀ

   ହୃଦୟ ଭାରି ଉଦାର। 


ତା' ଉପରେ ନାଚି, ଖେଳିକୁଦି ହେଲି

   ସାନ ଟିଏ ରୁ ବଡ଼ ଟିଏ

ସହି ଯିଏ ଯେତେ ଦେଲେ ବି ଯନ୍ତ୍ରଣା

   କହେ ନାହିଁ ଟାଣ କଥାଟିଏ। 


ଆକାଶ ପରି ସେ ଘୋଡ଼େଇ ରଖିଛି

   ମମତା ପଣତ କାନି

ସେଇ ପଣତରେ ରଙ୍ଗେଇ ଦେଇଛି

   ଇନ୍ଦ୍ରଧନୁ ରଙ୍ଗ ଆଣି। 


ଖେଳିବା ପାଇଁ କି ଗଢ଼େଇ ଦେଇଛି

   ଜହ୍ନ ତାରାର ଖେଳନା

କୋଳରେ ତାହାର ସରଗ ସୁଷମା

   ଆଉ କିଛି ନାହିଁ ଊଣା। 


ତା' ମନରେ କଳା ମେଘ ଖେଳି ଗଲେ

   ଆଖିରୁ ଝରେ ଶ୍ରାବଣ ଧାରା

ଶୁଖିଲା ଅଧରେ ହସ ପୁଣି ଫୁଟେ

  ସୂରୁଜ ବୁଣିଲେ ଶୀତଳ ଖରା। 


ଆମକୁ ସର୍ବଦା ରକ୍ଷା କରିଥାଏ

  ହୋଇ ସେ ସୁରକ୍ଷା କବଚ଼

ନିଜର ସେ କେବେ ଯତ୍ନ ନିଏ ନାହିଁ

  ଆମ ପାଇଁ ଯେତେ ଦରଦ। 


ତାହାରି କୋଳରେ ମୁଣ୍ଡ ଥୋଇ ଦେଲେ

   ଉଭେଇ ଯାଏତ ପୀଡ଼ା

ପାଖରେ ନ ଥିଲେ ଭାଳି ହେଉଥାଏ

  ମୋ ପାଇଁ କେତେ ସେ ଲୋଡ଼ା। 


ତାହାରି ଚରଣ ନିତ୍ଯ ସେବା କରି

  ଦିନ ମୋର ସରି ଯାଉ

ଶ୍ରୀ ମନ୍ଦିର ନେତ ତା' ପଣତକାନି

  ମୋ ଦେହେ ଘୋଡ଼େଇ ଥାଉ। 


 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics