ସ୍ମୃତି
ସ୍ମୃତି
ଦୂର ଆକାଶର ନୀଳଜହ୍ନଟିଏ ତୁମେ
ଛପିଛପି ଆସ ପାହାନ୍ତା ନିଦରେ
ଟାଣିନିଅ ବହୁଦୂର ମୋ ହାତ ଧରି
ଅପୂର୍ବ ଶିହରଣେ ପୁଲକିତ ମୁଁ କିଛି କ୍ଷଣ ।
ମନର ଡାଳେ ବାନ୍ଧୁଥାଅ ବସାଟିଏ
ବସିଗଲେ ମୁଁ ଏକୁଟିଆ ନିରୋଳାରେ
ଫୁଟାଇ ଓଠେ ପଗୁଣ ହସ
ଝରାଇ ଦିଅ ପୁଣି ଆଖିରେ ସାତ ଶ୍ରାବଣ ।
ଅତୀତର ମଲାଟରେ ଜମିଗଲେ ବି ଧୂଳି
ଝାପସା ଅନ୍ଧାରେ ଦୀପଶିଖା ପରି
ଦୁକ୍ ଦୁକ୍ ହୋଇ ଜଳୁଛି ମୋ ମନ ତଳେ
କେତେବେଳେ କରୁଣାର ସ୍ଵର ତୋଳି
ତ କେବେ କୋକିଳର ମଧୁର ତାନ ଭରି ।
ପ୍ରେମ ମିଳନ ବିଚ୍ଛେଦ ଭରା ଏ ଜୀବନେ
ଯେତେ ବି ଆଗକୁ ଗଲେ ମାଡି
ପଛକୁ ବୁଲି ବାରମ୍ବାର ଚାହୁଁଥିବି
ମଲା ଯାଏଁ ତୁମକୁ ସାଙ୍ଗରେ ଧରି ।
ତୁମେ ମୋ ଅନୁଭବର ଏକ ଜୀବନ୍ତ ପ୍ରତିମା
ଦେହର ଦେଉଳେ ପୂଜୁଥିବି ମୁଁ ରାତିଦିନ
ସାଦା କାଗଜରେ ଆଙ୍କୁଥିବି ତୁମ ପ୍ରତିଛଵି
ଶବ୍ଦର ତୁଳୀରେ ଅତି ଯତନେ
ଦିନ ମାସ ବର୍ଷ ବଦଳିଗଲେ ବି
ଭୁଲିଯିବିନି ଥିବା ଯାଏଁ ମୋ ଜୀବନ ।
ଶଶାଙ୍କ ଶେଖର ରାୟ
