ସ୍ମୃତି ସେଇ ପିଲାଦିନ
ସ୍ମୃତି ସେଇ ପିଲାଦିନ
ସ୍ମୃତି ପିଲାଦିନ ଏମିତି ଅନେକ
ଆମ ଗାଁ ପୋଖରୀ ବାଟେ,
କେତେ ବୁଲାବୁଲି କଇଁ ତୋଳା ତୋଳି
ମନେପଡେ ଗୋଟେ ଗୋଟେ ।
ସମୟ ସୂଅରେ ସବୁ ଭାସିଗଲା
ମଝିରେ ପଡିଲା ଫାଟ,
ଦୂର ତାଳବଣ ସବୁଜ ସୁନ୍ଦର
ଜଗିଛି ଏବେବି ବାଟ ।
ଛୁଟିଦିନ ହେଲେ ଲୁଚିଲୁଚି କେତେ
ସରିନି କେବେବି ଖେଳ,
କାହିଁ ସେଦିନର ସାଙ୍ଗସାଥି ମେଳ
ଗୁଡ଼ିଉଡ଼ା ଖରାବେଳ ।
ନଈ ନାଳ ପାଣି ମାଛ ଧରାଧରି
କ୍ଷେତ ବିଲବାଡି ଏତେ,
ସାଇକେଲ ଆଜି ଝୁରୁଛି ଆମକୁ
ମାମୁଁ ଗାଁ ଝୁରୁଛି କେତେ ।
ଗାଁ ଦାଣ୍ଡ କଥା କେମିତି କହିବି
ବରଷା ଆସିଲେ ଧାଇଁ
କାଗଜ ଡ଼ଙ୍ଗାର ଜୀବନ୍ତ ସେ ଚିତ୍ର
ଏବେବି ଯାଇନି ଧୋଇ ।
ଭୁଲି ତ ହୁଏନି ବନ୍ୟା ଦିନର
ଅକାତ ପାଣିର କାତ,
ବୁଢ଼ୀମା କୋଳରେ କେତେ ଗପସପ
'ମା'ର ସେନେହ ଛାତ ।
ଦିପହର କଥା ପୋଖରୀ ପାଣିରେ
ବୁଡା ବୁଡ଼ି ଖୋଜଖୋଜି,
ଓଦା ସରସର ଦେହର ବାସନା
ସତେଜ ଯେମିତି ଆଜି ।
ନିତି ସଞ୍ଜ ହେଲେ ଟ୍ୟୁସନ୍ କଥା
ବାପାଙ୍କ ଆକଟ ଥଳି,
ପୁଣି ଅଭୁଲା ଏମିତି ଛକରେ ଛକରେ
ତାସ ଖେଳର ମେଳି ।