ସକଳ ଐଶ୍ୱର୍ଯ୍ୟ ଠୁଳ
ସକଳ ଐଶ୍ୱର୍ଯ୍ୟ ଠୁଳ
ଯେଉଁ ଦିଗରୁ ବି ଯେମିତି ଦେଖିଲେ
ତୁମେ ତ ଚାହୁଁଛ ମୋତେ,
ପଦ୍ମନେତ୍ର ଦୃଷ୍ଟି କେତେ ଯେ ବ୍ୟାପକ
କେମିତି ବୁଝିବି ସତେ !
ସାଧାସିଧା ଏଇ ମଣିଷ ଭିତରେ
ସକଳ ଐଶ୍ୱର୍ଯ୍ୟ ଠୁଳ,
ଅଜ୍ଞାନ ମୁଁ କେହ୍ନେ କଳନା କରିବି
ତବ ବିଦ୍ୟା, ବୁଦ୍ଧି, ବଳ ।
ସୁସଂଯତ ଯା'ର ଜୀବନ ଚରିତ
ଅତୀବ ଯେ କରଣୀୟ,
ଜଗତ ଜଞ୍ଜାଳ ଭିତରେ ବି ଥାଏ
ପରଂବ୍ରହ୍ମ ପଦେ ଲୟ ।
ସାକାର ଭାବରେ ହସନ୍ତି, ବସନ୍ତି
ଭାଷନ୍ତି ଅମିୟ ବାଣୀ,
କୋଟି ଭକତଙ୍କ ଅନ୍ତର ଜାଣିକି
ପାଖକୁ ଆଣନ୍ତି ଟାଣି ।
ଦୁଃଖ ସୁଖ ବୁଝି କରୁଣା ବାଣ୍ଟନ୍ତି
କେଉଁ ଛଟକରେ ଆହା,
ଯିଏ ଭୁକ୍ତଭୋଗୀ ସେ ପରା ଜାଣିଛି
ଆନେ ଅଗୋଚର ତାହା ।
ସେ କୃପାରୁ ମୋତେ କଣିକେ ମିଳିଛି
ସାଧି ଥିଲି କିବା ତପ,
ମହାର୍ଘ ସୁଯୋଗ ଦେଇଅଛ ନାଥ
ନାମ କରୁଅଛି ଜପ ।
ଆହେ ଗୁରୁଦେବ ପଦେ ଅଳି ତବ
ମୋ ହୃଦୟେ ଥିବ ରହି,
ଚଳନ୍ତି ଦିଅଁଙ୍କ ଦର୍ଶନ ଲଭିଛି
ମୁହଁ ଖୋଲି ଦେଲି କହି ।
