ନୀଳମୟ
ନୀଳମୟ
ଅ,ହ,କ୍ଷ ସବୁ ଗାରେଇବା ର ଆରମ୍ଭ
କାହିଁକି କେଜାଣି ସେଇ ନୀଳ ଚକଖଡିରେ ।
ମୋ ଆଖିର ରଙ୍ଗ ଓ ଆଖି ଭିତରର ତମେ ବି
ନୀଳା ଛିଟା ।
ଚନ୍ଦ୍ରିକା ଚନ୍ଦ୍ରିକା ତୁମ ନୀଳ ରଙ୍ଗ ,
ତୁମ ଅବୟବ ନୀଳିମାରେ ଗଢା,
ସାଗର ର ଶେଷବିନ୍ଦୁରୁ
ମଥା ତୋଳୁଥିବା ଆକାଶ ଟା ବି ନୀଳ
ସେଇ ଆକାଶ ଗର୍ଭରୁ ସୂତାରେ
ଝୁଲିଥିବା ଧରଣୀ ବି ଦିଶେ
ଆଭାମୟ ନୀଳ ।
ମୋ ଅଭିମାନ ବି ନୀଳ
ମୋର ପ୍ରେମ,ତପସ୍ୟା, ଅପେକ୍ଷା ବି ।
ହେଲେ ତୁମେ ଉଦୟ ହେଉଥାଅ
ପ୍ରତି ସକାଳେ ଉଦିତ ରଙ୍ଗଟେ ପିନ୍ଧି
ଆଉ ଫେରିଯାଉଥାଅ ପ୍ରତିଥର
ଅସ୍ତରାଗର ରଙ୍ଗ ଚଢେଇ ।
