ସୀତା ହରଣ
ସୀତା ହରଣ
ଶୁଣ ହୋ କୋବିଦେ ସୀତା ଚୋରୀ ରସ
ମାୟା ମୃଗ ଧାଇଁ ପ୍ରବେଶ ବନସ୍ତ ଯେ
ତାର ପଛେ ପଛେ ଧାନ୍ତି ରଘୁ ରାଣ
ହରିଣ ଉଚାରେ ତ୍ରାହି ହେ ଲକ୍ଷ୍ମଣ ଯେ ।
ଜାନକୀ ଶୁଣି , ଲକ୍ଷ୍ମଣ ଙ୍କୁ ଖେଦିଲେ
ଦ୍ୱାରେ ତିନି ଗାର ଟାଣି ସେ ଚଳିଲେ ଯେ
ଏ ଗାର ଡେଇଁବ ନାହିଁ କେବେ ହେଲେ
ମୁଁ ଆସିବା ଯାଏଁ ବସି ଥିବ ଭଲେ ଯେ ।
ରାମ ଙ୍କୁ ଖୋଜିବା ପାଇଁ ଅରଣ୍ୟ କୁ
ପ୍ରବେଶିବା ଚାହିଁ ରାବଣ ମାୟାକୁ ଯେ
ଘେନି ତପସ୍ୱୀ ବେଶେ ଯାଇ ପ୍ରବେଶେ
ଭିକ୍ଷା ଦିଅ ପ୍ରାଣ ଯାଏ ମୋ ଉପାସେ ଯେ ।
ବୋଇଲେ ବସ ଜାନକୀ କିଛି କ୍ଷଣ
ଫରନ୍ତୁ ବରଦେବର ନେବ ଦାନ ଯେ ।
କଟାଳ କରଇ ରାବଣ ଭୋକ ରେ
କାତର ହେଉଛି , ପୁଣି ଯେ ଶୋଷ ରେ ଯେ ।
ଭିକ୍ଷା ଦିଅ ରକ୍ଷା କର ମୋର ପ୍ରାଣ
ବ୍ରହ୍ମ ହତ୍ୟା ପାପ ନ କର ଗ୍ରହଣ ଯେ ।
ତରଳାକ୍ଷୀ ଜାନକୀ ମତି ତରଳ
ଅଥୟ ହୋଇ ସେ ଦାନେ ଅଗ୍ରସର ଯେ ।
ବୋଇଲେ ଏଠାକୁ ଆସି ଘେନି ଯାଅ
ରାବଣ ଭାଷଇ ଆଣି ଏଠି ଦିଅ ଯେ ।
ଲକ୍ଷ୍ମଣ ଙ୍କ ଗାର , ଗୀର , ବିସ୍ମରଣ
ହେଲା ଡେଇଁ ଗଲେ ତାହା ତତ କ୍ଷଣ ଯେ ।
ଉଭା ହୋଇ ଗଲେ ରାବଣ ସମୀପେ
ଖସିଲା ଭିକ୍ଷା ଥାଳି ଝିଙ୍କିଲା କୋପେ ଯେ ।
ପୁଷ୍ପକେ ସହସା ପୁଷ୍କରେ ଗମନ
ସୀତା ଚୋରୀ ନିଏ ରାକ୍ଷସ ରାବଣ ଯେ ।
କିଛି ଦୂରେ ପଥ ରୋଧିଲେ ଜଟାୟୁ
ଖଡଗ ଧରି ପକ୍ଷ ଛେଦିଲା ସେହୁ ଯେ ।
ଦକ୍ଷିଣ ଦିଗ କୁ ଗତି କରି ଯାନ
ଖରେ ପ୍ରଖର ବେଗେ କରେ ଗମନ ଯେ ।
ପ୍ରବେଶ କରେ ଯାଇ ସେ ଲଙ୍କା ପୁରୀ
ଅଶୋକ ବନେ ଥିଲେ ବହୁ ଅସୁରୀ ଯେ
ଜଗାଇ ରଖେ ତାଙ୍କୁ ଓହ୍ଲାଇ ତହିଁ
ରହିଲେ ଖେଦ ଭରେ ସୀତା ସୁମୁହିଁ ଯେ ।

