STORYMIRROR

Lokesh Kumar Jena

Abstract Horror Classics

4  

Lokesh Kumar Jena

Abstract Horror Classics

ଗାଁ ମଶାଣି

ଗାଁ ମଶାଣି

1 min
1.3K

ବେଣାର ଚାଦର ତଳେ   ବଣ ବୁଦା ଆଢ଼ୁଆଳେ

    ନିରବ ନିଶ୍ଚଳ ଦେଖ ଗାଁ ମଶାଣି

କୁଢ଼ କୁଢ଼ ଶବ ଧରି     କଙ୍କାଳ ମାଳ ଆବୋରି

    ସମୟ ଗଡୁଛି ମାସ ବରଷ ଗଣି।


ସମାଧି ମୁକୁଟ ପିନ୍ଧି     ମାଟିରେ ଘଟକୁ ଛନ୍ଦି

    ପୁରୁବ ପୁରୁଷ ଗାଥା ବୁକୁରେ ଧରି

ଦର ପୋଡ଼ା ରଡ ନିଆଁ   କରୁଛି କେତେ କିମିଆଁ

   ହଜିଲା ଅତୀତ ତାର ଉଠେ ଗୁମୁରି ।


ଭୂତ ପ୍ରେତ ରୂପ ଧରି    ମିଛରେ ଛାନିଆ କରି

   ନିତି ସରଜୁଛି କେତେ କୁହୁକ ମାୟା

ନିଶବଦ ଅମାରତି      ଜାଳି ଜୁଳୁଜୁଳୁ ବତୀ

   ଚରା ଡାହାଣୀ ଭେଳିକି ସାଜିଛି କାୟା ।


ଡାହାଣୀ ଗୋଡ଼ ଲମ୍ବାଇ  କୋଳେ ତା ପୁଅକୁ ଧରି

    ନିଆଁ ସେ ପୂହାଉ ଥାଏ ରାତି ଅଧରେ

ମଶାଣି କଥା କାହାଣୀ     ପୁଣି ବୁଢ଼ୀ ଅସୁରୁଣୀ

     ଆଈମା ଗଳ୍ପ ପସରା ପିଲା ଦିନରେ ।


ଗୁଣିଆ ମନ୍ତର ପଢ଼ି      ଶିଖଇ ଗୁଣି ଗାରେଡ଼ି

     ଅମାବାସ୍ୟ ଅନ୍ଧକାର ଗ୍ରହଣ ତିଥି

ଏହି ସେହି ପୁଣ୍ୟ ପୀଠ   ନିରିଭୟ ତନ୍ତ୍ର ପାଠ

    ସ୍ବର୍ଗକୁ ନିଶୁଣି ବାନ୍ଧେ ପଢ଼ି ତା ପୋଥି।


ରଜା ପ୍ରଜା ଏକାକାର     ନଥାଏ ବାଛ ବିଚାର

   ସଭିଙ୍କୁ ସେ ଆଦରରେ ନିଏ ସଂକୋଳି

ଜୀବନର ଖେଳ ସାରି     ହାଟର ସଉଦା ଧରି

    ମଶାଣିର ମାଟି ତାକୁ ଦିଅଇ ଗିଳି ।


ଉଚ୍ଚ ନୀଚ୍ଚ ଭେଦଭାବ    ତା ପାଖରେ ପରାଭବ

   ନଥାଏ ଧନୀ ଦରିଦ୍ର ଜ୍ଞାନୀ କି ମାନି

ସତ୍ୟର ପଥ ଦେଖାଇ    ସକଳେ ଦିଏ ଚେତାଇ

   ଶେଷ ଠିକଣା ତୋହର, ରେ ଅଭିମାନୀ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract