କବି ତୁମେ କାଳଜୟୀ
କବି ତୁମେ କାଳଜୟୀ
ଶବ୍ଦର କୋଣାର୍କ ଗଢ଼ି ଆକର୍ଷକ
ଶିଳିପିର ମନ ନେଇ
ସୁରମ୍ୟ ସାମ୍ରାଜ୍ୟ ଆକୃତି ଐଶର୍ଯ୍ୟ
ଇନ୍ଦ୍ରଧନୁ ଦିଅ ଥୋଇ।
ହୃଦୟ କନ୍ଦର ଶବ୍ଦର ଝଙ୍କାର
ପ୍ରତିଧ୍ଵନି ପ୍ରତି କ୍ଷଣ
ସମାଜ ଛାତିରେ ସଂସ୍କାର ରୀତିରେ
ନିକ୍ଷେପ ଶକ୍ତ ଏଷଣ ।
ଦୃଷ୍ଟି ତବ ତୀକ୍ଷ୍ଣ ସୃଷ୍ଟି ତବ ତୀର୍ଣ୍ଣ
ତିମିର ଧ୍ଵଂସ କରି
ଜ୍ଞାନ ଉଦ୍ଗିରଣେ କନକ କିରଣେ
ନୂତନ ସକାଳ ଧରି ।
ମାଟିର ପିଣ୍ଡୁଳା ତୁମ ସୃଷ୍ଟି କଳା
ଶବ୍ଦକୁ ଜୀବନ୍ତ କର
ତୁମେ ଢାଳି ଦିଅ ଶବ୍ଦର ନିର୍ଝର
ନିବିଡ଼ ନିବୃତ ନୀର ।
ଦରଦୀ ହୃଦୟୁ କବିତ୍ୱ ତୁମର
ଭାବ ସରିତର ସ୍ରୋତେ
ଶବ୍ଦର ସୁମନ ଝରିଯାଏ ମୁଦେ
କଳ୍ପନା ରାଇଜ ପୋତେ ।
ତୁମ ଦିବ୍ୟଦୃଷ୍ଟି ସମୁଚିତ ସୃଷ୍ଟି
ସମ୍ଭାବନା ରୂପ ନିଏ
ଲେଖନୀ ମୁନରେ ଭାବ ଭାଷା ଝରେ
ଛାୟା ଛବି ଆଙ୍କିଦିଏ ।
କେବେ ଜାଳି ଦିଅ ମୁକ୍ତିର ମଶାଲ
ବିଦ୍ରୋହ ଚେତନା ବହି
ବୁଣିଦିଅ କେବେ ପୁଣ୍ୟର ପୀୟୂଷ
ଶାନ୍ତିର ସଂକେତ କହି ।
ଛାଡ଼ିଅଗ୍ନି ବାଣ ଶବ୍ଦର ନିଶାଣ
ସୃଷ୍ଟି କର ଲଘୁଚାପ
ଆକାଶ ବତାସ ବହେ ଅଣଚାସ
ରହିଯାଏ ତୁମ ଛାପ ।
ଦେଖିଅଛ କେବେ ନିଶିଥ ନୀରବେ
ପାଷାଣର ମୂକ ଦେହେ
ମରୁ ଚଲା ପଥେ ଜୀବନର ଛାତେ
ବାରିଧାରା ହୋଇ ବହେ ।
ଫୁଟାଇଛ ତୁମେ ମାଟିର ବାସନା
ଭୋକିଲା ପେଟର ଭୋକ
ଧୂଷର ଗୋଧୂଳି ଯୋଛନା ଯାମିନୀ
ସ୍ୱର୍ଣ୍ଣଉଷା ଅଲୌକିକ ।
ପ୍ରୀତିର ଫଗୁଣ ଫଲ୍ଲଗୁ ଧାରା ଝରେ
କବିତାର ପ୍ରତି ପଦେ
ବିରହର ବନ୍ୟା କୂଳ ଲଙ୍ଘି ବହେ
ହୃଦୟକୁ ଯେବେ ବାଧେ ।
ଆନନ୍ଦ ଉଲ୍ଲାସ ହାସ୍ୟ ଓ ବିଷାଦ
ନୈରାଶ୍ୟର ତୂଳୀ ଧରି
ପ୍ରଲେପିତ ଗ୍ଲାନି କମ୍ପିତ ଅବନୀ
ଶବ୍ଦର ତୁଣିର ଭରି ।
ତୋଳି ଦେଇ ଅଛ ଓଁ କାର ଶବଦ
ସୃଷ୍ଟିର ପିତୁଳା ଗଢ଼ି
ଧ୍ଵଂସ ବିଭୀଷିକା ପୁରାଇ ଘଟିକା
ସାରସ୍ଵତ ଶର ଛାଡ଼ି ।
ଦ୍ଵିତୀୟ ଈଶ୍ୱର ଅଜର ଅମର
ଜୀବନର ଜଳଶାୟୀ
ତୁମେ ସ୍ୱର୍ଣ୍ଣପ୍ରଭା ଅମ୍ଳାନ ପ୍ରତିଭା
କବି ତୁମେ କାଳଜୟୀ ।
