ଗାଁ ମାଟିର ବାସ୍ନା
ଗାଁ ମାଟିର ବାସ୍ନା
ଅଭୁଲା ମମତା ସ୍ନେହ ଭୁଲି କି ପାରିବି କୁହ
ପାଇଥିଲି ପହିଲି ପରଶ
ପ୍ରୀତି ଭରା ମାଦକତା ଶୈଶବ ର ଚପଳତା
ଯାଉ ଯେତେ ରଜନୀ ଦିବସ ।
ମୋ ପାଇଁ କେଡ଼େ ସୁନ୍ଦର ସରଜି ମୃଦୁ ଝଙ୍କାର
ମଧୁର ସେ ଶରଧା ସୁଆଦ
କୋଇଲିର କୁହୁତାନ ଉଚ୍ଛନ୍ନ କରେ ପରାଣ
ସମ୍ମୋହିନୀ ଝିଙ୍କାରୀ ଶବଦ ।
ନୀଳ ଲେଶା ସ୍ବର୍ଗ ତଳେ ସବୁଜ ବନାନୀ କୋଳେ
ଗିରିଗୁହା ଦିଶେ ମନୋହର
ସରୁଧାରେ ସୁନା ନଈ ସଧିରେ ଯାଉଛି ବହି
ଲଭିବାକୁ ସାନିଧ୍ୟ ସିନ୍ଧୁର ।
ଶଗଡ଼ିଆ ଗୀତ ଗାଇ ଶଗଡ଼ ନେଉଛି ବାହି
ଚାଷୀଭାଇ ସଙ୍ଗୀତ ଲହର
ଫେରିବାଲା କରେ ଫେରି ଭିକ୍ଷୁକ କେନ୍ଦେରା ଧରି
ଭିକ୍ଷା ଆଶେ ବୁଲେ ଦ୍ଵାର ଦ୍ଵାର ।
ଓଳିଆ ପାଣି ସୁଅରେ କାଗଜ ଡଙ୍ଗାକୁ ଧରେ
ଝିପି ଝିପି ବରଷାରେ ଭିଜି
ବର ଓହଳ ରେ ଝୁଲି ବଣ ବିଲ ବାଡି ବୁଲି
ବରକୋଳି ଖାଏ ଖୋଜି ଖୋଜି ।
ବହୁଚୋରି ଖେଳ ଖେଳି ସାଙ୍ଗ ସାଥୀ ମେଳ କରି
ଧରି ପୁଣି କଙ୍କି ପ୍ରଜାପତି
ଦାଣ୍ଡ ଧୂଳି ମୁଣ୍ଡେ ବୋଳି ହେଉ କେତେ କୋଳା କୋଳି
ଭାବଭରା ସ୍ନେହ ପ୍ରେମ ପ୍ରୀତି ।
ଆମ୍ବୁଲ ପଖାଳ ଭାତ ମନେ ମୋର ପ୍ରତିଭାତ
ବଢ଼ି ଚୁରା ଦେଶୀ ପିଆଜଟି
ଗୁଲି ଡାଙ୍ଗ ଖେଳ କରୁ ବାଜି ଜିତି ପୁଣି ହାରୁ
ମନ୍ଦିର ବେଢ଼ାରେ କାଚ ବାଟି ।
ଖେତ ଧାରେ ନଈ ପଠା ଧାନର ବିଜୁଳି ଛଟା
କାଶତଣ୍ଡି କୁସୁମ ଫୁଟିଛି
ବେଣୀ ବନ୍ଧା ବେଣା ପାଟ ଗ୍ରାମ ପ୍ରାନ୍ତେ ଯୋଗୀ ମଠ
ନିଆରା ସୁଷମା ପ୍ରକଟୁଛି ।
ଭଗ୍ନ ଚାରୁକଳା ଶିଳ୍ପ ବଖାଣି ଅତୀତ ଗଳ୍ପ
ନୀରବ ଏ ଚକ୍ରବାଳ ତଳେ
ଆମ୍ବତୋଟା ତାଳବଣ ମୃତ୍ୟୁର ତୀର୍ଥ ଶ୍ମଶାନ
ଦର ପୋଡ଼ା ଶବ ତହିଁ ଜଳେ ।
ଦିଏ ତା ଅମୂଲ ମୂଲ ଜୁଇ ଜାଇ ହେନା ଫୁଲ
କଦମ୍ବ କାମିନୀ କୃଷ୍ଣଚୂଡ଼ା
ଟଗର ମଲ୍ଲି ମାଳତୀ ରାଜୀବ କଇଁ କେତକୀ
ଦେଇଛି ପାଦପ ପତ୍ରଛଡ଼ା ।
ବରଷାର ଛିଟା ବାଜି ମଗ୍ନ ମାଟି ଯାଏ ଭିଜି
ସୁବାସିତ ଚନ୍ଦନ ପରାଏ
ଗାଆଁ ମାଟିର ବାସନା କରେ ମୋତେ ଆନମନା
ଜୀବନରୁ ବିଷାଦ ଦୁରାଏ ।
