ଵତୀ ଖୁଣ୍ଟର ଅଭିବ୍ୟକ୍ତି
ଵତୀ ଖୁଣ୍ଟର ଅଭିବ୍ୟକ୍ତି
ରାଜ ରାସ୍ତାର ଏକ ପାର୍ଶ୍ଵର
ଦଣ୍ଡାୟମାନ ମୁଁ ହୋଇ
ମଣିଷ ଜାତିକୁ ସଭ୍ୟ ସମାଜକୁ
ଆଲୋକ ମୁଁ ଦେଉଥାଇ ।
ଚଳ ଚଞ୍ଚଳ କିଛି ଅଞ୍ଚଳ
ମୋହରି ଆଲୋକ ପାଇ
ଦିବସ ଯୌବନ ଯବନିକା ପରେ
ମୁଁ ଏକା ଖୋଜା ପଡ଼ଇ ।
ପାଶେ ଯାନର ସ୍ପର୍ଶ ସମୀର
ମୋ ଅଙ୍କେ ଆଙ୍କେ ଚୁମ୍ବନ
ଶର୍ବରୀ ଶିଶିର ସିକ୍ତ କରଇ
ମୁଁ ଥାଏ ଧ୍ୟାନେ ମଗନ ।
ଯାନ ବାହନର କୋଳାହଳ ଶବ୍ଦ
ମୋ କାନରେ ପଡ଼େ ନାହିଁ
ସଭିଙ୍କୁ ଦେଖଇ କିଛି କୁହେ ନାହିଁ
ମୁଁ ପରା ଜଡ ଅଟଇ ।
ମୋ କଡ଼ ଦେଇ ଯାଉଥାଏ ଦିନେ
ବରଯାତ୍ରୀ ବର ଗାଡ଼ି
ସ୍ବାଗତ ଶୁଭେଚ୍ଛା ମୁଁ କରିଥାଏ
ନମସ୍କାର ହାତଯୋଡ଼ି।
ରୋଗୀଯାନ ପରେ ନବଜାତ ଶିଶୁ
କୁଆଁ କୁଆଁ ରାବେ ମାତି
ସେନେହ ନିର ରେ ଓଦା ହୋଇଥିଲା
ଲୁହାରେ ଗଠିତ ଛାତି ।
ଆଉ ଦିନେ ପୁଣି ମୋ ପାଖ ଦେଇ
ଶବ ଗାଡ଼ି ଟିଏ ଦେଖି
ଜୀବନର ସତ୍ୟ ଜନ୍ମ ମୃତ୍ୟୁ ବୋଲି
ହିସାବ ରଖେ ପରଖି ।
ସେଦିନ ସନ୍ଧ୍ୟାରେ ମୋ ସମ୍ମୁଖରେ
ଦୁର୍ଘଟଣାଟେ ଘଟି
ରକତର ଛିଟା ମୋ ଦେହେ ପଡ଼ି
ପିଇଥିଲା କେତେ ମାଟି ।
ମୁଁ କିନ୍ତୁ ନୀରବ ଲୌହ ଅବୟବ
ବୁଝେ ନାହିଁ କିଛି ବ୍ୟଥା
ମୋ ହାତ ପହାନ୍ତା ସୁଖ ଦୁଃଖ ଜନ୍ତା
ଅକୁହା କାହାଣୀ କଥା ।
ଦେଖିଛି ମୁଁ କେତେ ଶୟତାନୀ କାଣ୍ଡ
ନାରୀକୁ ଗଣ ଧର୍ଷଣ
ପଟେ ରୁଟି ପାଇଁ ଛୁରା ମାଡ଼ ଖାଇ
କରୁଛି ନର ଲୁଣ୍ଠନ ।
ଦିନ ମାସ ବର୍ଷ କେତେ ଶୋକ ହର୍ଷ
ନୀରବ ଦର୍ଶକ ହୋଇ
ବିଷାଦ ବିଚ୍ଛେଦ ସଂଯୋଗ ବିବାଦ
ମୁହିଁ ନିତି ଦେଖୁଥାଇ ।
ଅପ୍ରମିତ ଦୁଃଖ ଅକୁହା ବେଦନା
ପୁଞ୍ଜିତ ଯେତେ ସ୍ମୃତି
ଲୌହ ଛାତିକୁ ବିଦାରିତ କରି
ଦିଅଇ କଷଣ ତାତି ।
ଶେଷରେ କହୁଛି ହେ ମାନବ ଜାତି
ମୁଁ ସିନା ଆଲୋକ ଦିଏ
ମୋ ଆଲୋକ ତଳେ ଅନ୍ଧାରୀ ମୂଲକ
ସ୍ବପ୍ନ ଏଠି ଲୁଚିଯାଏ।
