କି କହିବି ତୁମ କଥା
କି କହିବି ତୁମ କଥା
ଇନ୍ଦ୍ରଧନୁ ଟାଣି ଚାହାଣିରେ ହାଣି
ରଙ୍ଗ ଭରିଥାଅ ମନେ
ପାଖରେ ମୋ ବସି ମୃଦୁ ହସ ହସି
ପ୍ରଣୟ ବଲ୍ଲରୀ ସ୍ୱନେ ।
ଶଶାଙ୍କ ବଦନ କିଣି ନିଏ ମନ
ତାମସ ତାରୁପ୍ୟ ନିଆଁ
ହୃଦ ଭରି ତ୍ରାସ ପ୍ରଖର ନିଃଶ୍ୱାସ
ବୁଦ୍ ବୁଦ୍ ପ୍ରେମ ଧୂଆଁ ।
କଳା ମେଘି କେଶ ଲାଗି ଅଙ୍ଗ ବାସ
ତନୁରେ ବିଜୁଳି ମାରେ
ହୃଦୟ ବୀଣାର ସପ୍ତ ସ୍ୱର ତା'ର
ପ୍ରେମାପ୍ଲୁତ ହୋଇ ଥରେ ।
ଶର୍ବର ଶମ୍ବଳ ମାରି ବକ୍ଷ ସ୍ଥଳ
ସିକ୍ତ କରି ବାସନାରେ
ସହଚରୀ ସାଜି ମୋ ପାଶେ ଆଉଜି
ଶୂନ୍ୟତା ବିନାଶ ଧୀରେ ।
ପ୍ରକୃତି ବିଭୋର ମତୁଆଲା ଘୋର
ପାଇ ତୁମ ପ୍ରେମ ସ୍ପର୍ଶ
ମଳୟ କେଶର ହୋଇ ମଧୁକର
ଖେଳୁଥାଏ କେତେ ହର୍ଷ ।
ତରୁଣ ବୟସୀ କନ୍ଦର୍ପ ପ୍ରେୟସୀ
ଯୌବନ ଲହଡ଼ି ଢେଉ
ସୁନେଲି ସପନେ ତନ୍ଦ୍ରା ମଗନେ
ଯେବେ ତୁ ଲାଜେଇ ଯାଉ ।
ତୋ ରୂପ କବରୀ ଭ୍ରମରଟି ଘେରି
ପ୍ରେମ ମଧୁ କରି ପାନ
ପ୍ରଣୟ କାହାଣୀ ତିରିଛି ଚାହାଣି
ଝିଙ୍କାରି ବି କରେ ଗାନ ।
ଅନୁଡ଼ା ପ୍ରେମିକା ତୃଷିତ ତନୁଜା
ଅପରୂପା ଅନୁପମା
କାମନାରେ ଜାଳି ତୃଷାନଳ ଢାଳି
ତୃପ୍ତ କର ରାଜଜେମା ।
ଲୋହିତ ଅଧରେ ପ୍ରେମ ସୁଧା ଝରେ
ଜାଣ ବଶୀଭୂତ ମନ୍ତ୍ର
ଲାବଣ୍ୟ ପ୍ରତିମା ଆଗୋ ପ୍ରିୟତମା
ପୀରତି ପୂରିତ ଯନ୍ତ୍ର ।
କାନନ କିସଳ ନିକୁଞ୍ଜ ତମାଳ
ଲାଜକୁଳୀ ତରୁ ଲତା
କାମନାରେ ଜଳେ ସରମେ ଝାଉଁଳେ
କି କହିବି ତୁମ କଥା ।