ମଦ ବୋତଲ
ମଦ ବୋତଲ
ତୁମକୁ ଦେଖିଲି ହେ ମଦ ବୋତଲ
ମଶାଣିର କେଉଁ କଡ଼େ
ଜୁଇ ନେବା ପାଇଁ ଏ ମଣିଷ ଆଜି
ତୁମରି ସାହାରା ଲୋଡ଼େ ।
ଠିପି ତୁମ ଖୋଲା ହୋଇ ତୁମେ ମେଲା
ଅସହାୟେ ପଡ଼ିଅଛ
କବାଡିଆ ବାଲା ଦେଖିପାରୁ ନାହିଁ
ଭୂତ ଗହଣରେ ଅଛ ।
ନିରୀହ ଚାହାଣୀ କହି ଦେଉଥିଲା
ତ୍ୟାଗ ଓ ତିତିକ୍ଷା ମନ୍ତ୍ର
ତୁମ ଅନ୍ତଃ ରସ ପିଇ ଦେଲା ପରେ
ମଣିଷଟି ସାଜେ ଯନ୍ତ୍ର ।
ତୁମ ଉପସ୍ଥିତି ଆନନ୍ଦ ଭରିଛି
ରାତିକୁ କରିଛି ଦିନ
କି ଦୋଷ କରିଛ ହେ ମଦ ବୋତଲ
ହୁଅ ଏତେ ହୀନିମାନ ।
ତୁମକୁ ଦେଖିଛି ଯାନି ଯାତ୍ରା ପରେ
ନାମ ଯଜ୍ଞ ସଙ୍କୀର୍ତ୍ତନେ
ବାହାଘର ଆଉ ଜନ୍ମଦିନ ଭୋଜି
ରହିଥାଅ ସବୁ ସ୍ଥାନେ ।
ପୂର୍ଣ୍ଣ ଗର୍ଭା ଥିଲ ଦୁର୍ଲ୍ଲଭ ଯେ ମୂଲ୍ୟ
କୋଟି ଆଦର ସୋହାଗ
ଫ
ାଙ୍କା ହେଲ ଯେବେ ଫିଙ୍ଗି ଦେଲେ ତେବେ
ହରାଇଲ ତୁମ ଦିଗ ।
ରାଜା ଠାରୁ ପ୍ରଜା ନେତା ଠାରୁ ଚେଲା
ଅସରନ୍ତି ସାଥୀ ଥିଲେ
ଅପରନ୍ତା କ୍ଷେତ୍ରେ ଢଳ ଢଳ ନେତ୍ରେ
କେମିତି ଯେ ଛାଡ଼ିଦେଲେ ।
କେତେ ବିଜ୍ଞ ପ୍ରାଜ୍ଞ ବୁଦ୍ଧିଜୀବୀ ଜନେ
ରାସ୍ତା କରେ ଗଡାଇଛ
ସେଥିପାଇଁ ତୁମେ ଜିର୍ଣ୍ଣ ଅବୟବ
ଧରି ପୁଣି ଗଡୁଅଛ ।
କଚେରୀ ପାଚେରୀ ବାରଣ୍ଡା କଡ଼ରେ
ବୋତଲଟି ପଡ଼ିଥାଏ
ସଭ୍ୟ ସମାଜଟି ନ ଦେଖିଲା ପରି
ମୁଁହଟିକୁ ମୋଡ଼ି ଦିଏ ।
ଅଇଁଠା ପତର ଅଳିଆ ଗଦାରେ
ଠିକଣା ହଜେଇ ଥିଲ
କବାଡିଆ ବାଲା ହାତର ପରଶ
ବଢାଇଲା ତୁମ ମୂଲ ।
ଆୟୁଷ ସରିଲେ ଅଲୋଡ଼ା ଦେହକୁ
ଆର ପାରି ନିଏ ଯମ
କୁହ ତେବେ ଥରେ ହେ ମଦ ବୋତଲ
ତୁମର ଏଠି କି କାମ ?