ସିଆଣା ଝିଅ
ସିଆଣା ଝିଅ
'ଶିଉଳି' ଆମର ସିଆଣା ଝିଅ,
ଗରମ ଭାତରେ ଖାଏ ସେ ଘିଅ ।
ସଜନା ଛୁଇଁକୁ କଦଳୀ ଭଜା,
ଖାଇବାକୁ ତାକୁ ଲାଗଇ ମଜା ।
ଘାଣ୍ଟ ତରକାରି-ଡାଲି;
ମାଆଙ୍କୁ ଏ ସବୁ ରାନ୍ଧି ଦେବା ପାଇଁ
ବରାଦ କରେ ସେ ଖାଲି ।
ଆଇଁଷ ଫାଇଁଷ ଦେଖିଲେ ସିଏ,
ହାଣ୍ଡିପରି ମୁହଁ ଫୁଲେଇ ଦିଏ ।
ଦେଲେ ସଜ ଦହି ଛେନାରୁ କିଛି,
କହେ ମୋ ପସନ୍ଦ ଖାଇବା ଅଛି ।
ଖୁସିରେ ଡିଆଁଟେ ମାରି;
ମୁହଁ ହାତ ଧୋଇ କେଡ଼େ ଆନନ୍ଦରେ
ଖାଇବାଟା ଦିଏ ସାରି ।
ସବୁଜ ପରିବା ଖାଇ ସେ ନିତି,
ଦେହରେ ତାହାର ଭରେ ଶକତି ।
ମଗଜରେ ବୁଦ୍ଧି ଗଲାଣି ବଢ଼ି,
ମନେ ରଖୁଅଛି ପାଠକୁ ପଢ଼ି ।
ପଚାରିଲେ ପ୍ରଶ୍ନଟିଏ;
ଅଯଥାରେ ଜମା ଡେରି ନ କରି ସେ
ସଅଳ ଉତ୍ତର ଦିଏ ।
