ଶୁକ କଥନ
ଶୁକ କଥନ
ଶୁକ ଏକ ବସି କହେ ଅପରକୁ ଶୁଣ
ସବୁଜ ବନାନୀ କ୍ଷୟ ହୁଏ ଦିନୁଦିନ ।
ସବୁଠାରେ ଦେଖ ମଣିଷର ଅତ୍ଯାଚାର
କ୍ରୁର ଭାବେ କରି ଧରା କରେ ଅଧିକାର ।
ସରସ ସୁନ୍ଦର ଧରଣୀକୁ ନାରଖାର
ସପନ ଦେଖଇ ନିତି ସୁରମ୍ଯ ଆଗାର ।
ସବୁ କଳା କଉଶଳ ଜ୍ଞାନ ବିଜ୍ଞାନର
ସାଜିଛି ସେ ଆଜି ଯେଣୁ କରି ଧୂରନ୍ଧର ।
ନିମିଷକେ ଅକଳନ ଜୀବଙ୍କୁ ମାରଇ
ଜୀବ ଉଦ୍ଭିଦଙ୍କ ଗ୍ରାସ ଆସ୍ଥାନ ଧ୍ବଂଶଇ ।
ଅତ୍ଯନ୍ତ ନିର୍ଦ୍ଧୟ ସେହି ପୋଡିଦିଏ ବନ
ଅଗିନି ଗରଭେ ଆମ୍ଭେ ତେଜୁଛୁ ଜୀବନ ।
ଶିକାରୀ ସାଜି ସେ ପୁଣି ପୀଡେ ଅକାରଣେ
ପଞ୍ଜୁରୀରେ ପୋଷି ପାଳେ ଆମକୁ ପୀଡନେ ।
ବର୍ବର ନରର ହାତେ ନିତି ଅତ୍ଯାଚାର
ସହିବା କି ଅଟେ ସତେ ଭାଗ୍ଯ ଯେ ଆମର ।
ଦାରୁଣ କାରୁଣ୍ଯ କୋଳେ ଯାପୁ ଅଛୁ ବେଳା
ପ୍ରକୃତି ପ୍ରକୋପ ବୃଦ୍ଧି ଯାନ୍ତବତା ଲୀଳା ।
ରଚି ଚାଲି ଅଛି ଏବେ ଭୀଷଣ ତାଣ୍ତବ
ଭବିଷ୍ଯତ ଆମ୍ଭର ଯେ କହ କି ଘଟିବ ।
ଅଙ୍ଗୁଳି ନିର୍ଦ୍ଧେଶେ କହେ ଆରେକ ଶୁକଟି
ଆଗକୁ ଭୀଷଣ ଲୀଳା ନିଶ୍ଚେ ଯିବ ଘଟି ।
ଉଚ୍ଛନ୍ନ ହୋଇବେ ଜନେ ଭୟାନକ ଦୃଶ୍ଯ
ଦେଖିପାରୁ ଅଛି ମୁହିଁ କଳ୍ପନା ପ୍ରକାଶ ।
ଏଣେ ତେଣେ ଏପରି ସେପରି କା ଘଟଣା
ଘଟି ଯାଇ ଜନେ ହେବେ ବହୁ ମରା ହଣା ।
କାଳର କରାଳ ଲୀଳା କେ ବର୍ଣ୍ଣି ପାରିବ
ଘଟିଚାଲେ ଅଘଟଣ ନିତି ଅଭିନବ ।
ଧନ୍ଯ ଏ ବର୍ବର ଜୀବ ଧନ୍ଯ ତା ସମାଜ
ନିର୍ଲଜ ମୁଖରେ ତା'ର ନାହିଁ ଲବେ ଲାଜ ।