ଶରତରେ ବର୍ଷାର ସ୍ମୃତି
ଶରତରେ ବର୍ଷାର ସ୍ମୃତି
ଅଦେଖା ପ୍ରୀତିରେ ଭିଜାଇଲା ପ୍ରାଣ
ଲୁହରେ ମିଶିଲା ଲହୁ
ବର୍ଷା ଦେଇଗଲା କେତେଯେ ବେଦନା
ଦରଜ ଯାଇନି ଦେହୁ I
ଦିଗବଳୟ ପାଶେ ଏବେବି ଦିଶୁଛି
ଛାଇ ଛାଇ ରୂପ ତାର
ଅଳସ ତନୁର ଅଳପ ବିଳାପ
ଶୁଭୁଛି ବର୍ଷାର ସ୍ୱର I
ମର୍ମଥରା ଏକ ଦୀର୍ଘଶ୍ୱାସ ଯେବେ
ପ୍ରାଣାନ୍ତକ ପୀଡା ଦିଏ
କାହିଁ କେତେ ଦୂରୁ ବର୍ଷା ଡାକଦିଏ
ଆଖି ଭରିଯାଏ ଲୁହେ I
ଶରତର ସ୍ୱଚ୍ଛ ଆକାଶେ ଭରିଛି
ବର୍ଷାର ମଧୁର ସ୍ମୃତି
ଯନ୍ତ୍ରଣା କାତର ମନଟେ ପଢୁଛି
ବରଷାର ଇତିବୃତ୍ତି I
