ଶୀତୁଆ ବରଷା
ଶୀତୁଆ ବରଷା
ମାଘ ମାସ ଶୀତ କରେ ହନ୍ତସନ୍ତ
ବାଘ ଶୀତ ତାର ନାଆଁ
ଥରାଇ ଶରୀର ଶୀତଳ ସମୀର
ବହଇ ତୁହାକୁ ତୁହା ||
ଏହି ଅକାଳରେ ଉତ୍ତର-ପୂରୁବ
ମଉସୁମୀ ବାୟୁ ଆସି
ଅବପାତ ରଚି ଆଣିଲା ବରଷା
ମୁଣ୍ଡେ ହାତ ଦିଏ ଚାଷୀ ||
ଅମଳ ସରିନି ଧାନର ଫସଲ
ବରଷାରେ ଯିବ ଭିଜି
ବରଷକ ପାଇଁ ଆହାର ସତେ କି
ନଷ୍ଟ ହୋଇଯିବ ଆଜି ||
ରବି ଫସଲ ବି ଧୋଇ ହୋଇଯିବ
ଦାଉ ସାଧିବ ବରଷା
ଥରାଏ ଶୀତରେ ହେମାଳ ବାୟୁରେ
ନିରବି ଯାଏ ତମସା ||
ତାରା ଲୁଚିଯାଏ ବରଷାକୁ ଦେଖି
ମେଘ କମ୍ବଳ ଘୋଡାଇ
ନିରବ ରାତିରେ ଛାତି ଥରିଯାଏ
ଆଶଙ୍କିତ ଚାଷୀଭାଇ ||
ବିରହ ବିଧୂରା ମନର ଦହନ
ହୃଦ ଭିତରର କୋହ
ଛଟପଟ କରି ମାରଇ ପ୍ରିୟାକୁ
ତାର ଅମାନିଆଁ ଦେହ ||
ପ୍ରୀତିର ବର୍ଷାରେ ଭିଜଇ ଶରୀର
ଅଭିମାନକରେ ଶେଯ
ବିରହ ଜ୍ଜ୍ବାଳାରେ ଛାତି ଜଳିଯାଏ
ଆଖିରେ ଆଖିଏ ଲାଜ ||
କହିପାରୁନି କି ସହି ପାରୁନି ସେ
ତା ପ୍ରିୟ ଅନୁପସ୍ଥାନ
ଚେଇଁ ଚେଇଁ କେତେ ସପନ ଢେଉରେ
ନାଚୁଛି ତାହାର ମନ ||
ପବନରେ ଯଦି କବାଟପଟରୁ
କିଛି ଶବ୍ଦ ଶୁଭେ କେବେ
ସତେକି ତାହାର ପ୍ରାଣ ଧନ ଘରେ
ଆସି ପହଞ୍ଚିଲା ଭାବେ ||
କବାଟ ଫାଙ୍କରୁ ବାହାରକୁ ଚାହିଁ
ଥକାମାରି ଆସି ବସେ
ଛାତିରେ ଛାତିଏ ବିରହ ବେଦନା
ତିଳ ତିଳ ଜାଳିବସେ||