ଶୀତ ଆମ ମିତ
ଶୀତ ଆମ ମିତ
ବାରମାସ ପରା ଛଅ ଋତୁ ଅଟେ
ଆସନ୍ତି ସମୟ କ୍ରମେ
ଜୀବ ଜଗତକୁ ତାଙ୍କ ଦାନ ଦେଇ
ବାହୁଡନ୍ତି କାଳ ବଳେ ।
ଶୀତ ଆମ ମିତ ଜାଣଇ ଜଗତ
ଶୀତ ଅଟଇ ନିଆରା
ସବୁଜ ଘାସରେ ମୁକୁତାର ବିନ୍ଦୁ
ଆହା କେତେ ମନୋହରା ।
ଶୀତ ଆମ ମିତ ସବୁଜ କ୍ଷେତରେ
ସୁନାର ଲହଡି ଭାଙ୍ଗେ
କୃଷକର ମନ ପୁରି ଉଠୁଥାଏ
ଦେଖି ଦେଲେ କ୍ଷେତ ଆଡ଼େ ।
ଶୀତ ଆମ ମିତ ଆଣଇ ମଉଜ
ମହୋତ୍ସବେ ଯାଏ ଦିନ
ପ୍ରଥମାଷ୍ଟମୀରୁ ଆରମ୍ଭ ହୁଅଇ
ପରବ ପର୍ବାଣୀ ମାନ ।
ଶୀତ ଆମ ମିତ ଅଳପ ଖରାରେ
ବସିବାର କେତେ ମଜା
ପାଣି କାଦୁଅର ଝାମେଲା ନଥାଏ
ନ ଥାଏ ଖରାର ସଜ୍ଜା ।
ଶାଗ ପରିବା ଯେ ବାଡିରେ ବାଡିରେ
ନିରୋଗ ଜୀବନ ଦିଏ
ଶୀତ ଆମ ମିତ ଆମ ସ୍ୱାସ୍ଥ୍ୟ ପାଇଁ
କେତେ ଚିନ୍ତା କରୁଥାଏ ।
ଶୀତ ଆମ ମିତ ସକାଳ ଧୁନିରେ
ସମସ୍ତଙ୍କୁ ମେଳି କରେ
ଦୁଃଖ ସୁଖ ବଣ୍ଟା ଖବର ସମୀକ୍ଷା
ସବୁର ମୂଳ ଯେ ସିଏ ।
ଶୀତ ଆମ ମିତ ଖାଇବା ମଉଜ
ଦିଏ ଶୋଇବା ଆରାମ
ଜଗତକୁ ଖାଦ୍ୟ ଭଣ୍ଡାର ଦେଖାଏ
ପ୍ରକୃତିକୁ ଦିଏ ପ୍ରେମ |
ଶୀତ ଆମ ମିତ ପର୍ବ ପର୍ବାଣୀର
ପସରା ମେଲେଇ ଦିଏ
ସଂପର୍କର ସୂତ୍ର ଦୃଢ କରାଏ ଯେ
ସଂସ୍କୃତିର ଗାଥା ଗାଏ ।
ହେଲେ ଶୀତ ମିତ ଆସୁ ଅଛି ସତ
ଆଗ ଭଳି ରହୁ ନାହିଁ
ପରିବେଶ ସନ୍ତୁଳନ ହରାଇଛି
କହୁ ଅଛି ମୁହଁ ଚାହିଁ ।
ଜୀବନ, ଜୀବିକା ଅବା ନିରୋଗତା
ଶୀତ ମିତ ଆମ ଲୋଡା
ଧରା ପରେ ଋତୁ କ୍ରମେ ନ ଆସିଲେ
ଜୀବନ ହେବ ଅଲୋଡା ।
ଋତୁ କ୍ରମକୁ ତ ସଜାଡିବା ଚାଲ
ଶୀତ ମିତ ଯେ ନ ରୁଷୁ
ଏ ଧରା ବକ୍ଷରେ ତା ସମୟ କ୍ରମ
ଭୋଗ କରି ସିଏ ହସୁ ।
ପରିବେଶ ପାଇଁ . ଜୀବ ଜଗତକୁ
ଋତୁ କ୍ରମ ସଦା ଲୋଡ଼ା
ସନ୍ତୁଳିତ ପରିବେଶ ନ ରହିଲେ
ସବୁ ହେବ ଅସଜଡା ।
ଏବେ ବି ସମୟ ହାତ ଠାରି କୁହେ
ମଣିଷ ଗୁରୁତ୍ଵ ଦିଅ
ଭବିଷ୍ୟତ ପିଢି କଥା ମନେ ଭାବି
ପଦକ୍ଷେପ ସଦା ନିଅ ।
ଶୀତ ଆମ ମିତ କଷ୍ଟ ଦିଅ ନାହିଁ
ଅସମୟେ ନ ଲେଉଟୁ
ଆମ ପାଖେ ରହି ଖୁସୀରେ ଖୁସୀରେ
ଆମ ଠୁ ବିଦାୟ ନେଉ ।।
