ଶେଷ ଠିକଣା
ଶେଷ ଠିକଣା
ସମୁଦ୍ରର ଅନନ୍ତ ଗର୍ଭରୁ ଛୁଟି ଆସେ ଗୁରୁ ଜୁଆର
ସମୟର କ୍ରମାନ୍ଵୟରେ ଶବ୍ଦ କରି ଗୁରୁ ଗମ୍ଭୀର
ମଥା ନତ କରି ଛୁଏଁ ବେଳାଭୂମିର ମୁକୁଳା ପାଦ
ପୁନଶ୍ଚ ଫେରି ଯାଏ ଆସିଥିବା ବାଟରେ ତାର
ଘନ ଅନ୍ଧାରର ବୁକୁ ଚିରି ଉଇଁ ଆସେ ସୂରୁଜ
ଢ଼ାଳି ଦିଏ ଉଜ୍ଜ୍ୱଳ ଆଲୋକ ଦେଖାଏ ଚଲା ପଥ
ଦିବସର କର୍ମ ଶ୍ରମ କ୍ଳାନ୍ତି ପରେ ନିଏ ବିଶ୍ରାମ
ବିଞ୍ଚି ଦିଏ ଅସ୍ତରାଗରେ ବିଗତ ସ୍ମୃତିର ଚିତ୍ରପଟ୍ଟ
ପ୍ରକୃତି ବଦଳେ କ୍ଷଣକୁ କ୍ଷଣ ହୁଏ ଅଭିନବ
ପ୍ରତିଟି ଶେଷ ଦିଏ ଆଉ ଏକ ଆରମ୍ଭର ଶୁଭସୂଚନା
ପ୍ରତ୍ୟେକ ଆରମ୍ଭର ଅଛି ଶେଷ ସୀମାରେଖା
ଦୃଶ୍ୟରେ ସରଳ ବକ୍ର ଲମ୍ବ ଅଦୃଶ୍ୟରେ ଏକ ଚକ୍ର
ସେ ଚକ୍ର ଖେଳେ ଚକା ଭଉଁରୀ ବିଧିର ବିଧାନରେ
ସବୁ କିଛି ରୂପାନ୍ତର ହେଉଥାଏ ତା' ଇଙ୍ଗିତରେ
ଜନ୍ମ ମୃତ୍ୟୁର ଚକ୍ରରେ ବନ୍ଧା ହୋଇଥାଏ ଜୀବନ
ଜୀବ ଭାବୁଥାଏ ଅଛି ସବୁ ତାର ଅକ୍ତିଆରରେ
ଖୋଜେ ପାଏ ପୁଣି ଅନୁସନ୍ଧାନ ରଖିଥାଏ ଜାରି
ଜିତିବାର ଶତ ଶତ ପ୍ରଚେଷ୍ଟା ଉଦ୍ୟମ ସତ୍ତ୍ବେ
ନିଜ ପାଖରେ ଦୁନିଆଁ ଆଗରେ ଯାଉଥାଏ ହାରି
ଭୁଲିଯାଏ ଲକ୍ଷ୍ୟ ବାଟୋଇଟିଏ ଚାଲି ତା' ବାଟରେ
ଅବୋଧ ଶିଶୁ ସମ ଖେଳରେ ସାଉଁଟେ ଯା' ପାଏ
କିଛି ଅନାବଶ୍ୟକକୁ ମନେ କରେ ବହୁତ ଆବଶ୍ୟକ
ଭାବୁଥାଏ ତା' ଆଗରେ ଥିବା ସବୁ କିଛି ରତ୍ନ ଦୁଷ୍ପ୍ରାପ୍ୟ
ଛଡାଇ ନେଲେ କେହି ରାହା ଧରି କାନ୍ଦେ ଭୀଷଣ
ଜାବୁଡ଼ି ଧରେ ନ ଦେବାକୁ ବାଲିର ରେଣୁଟିଏ
ସମୟ ଆସିଲେ ଖେଳିବାର ବେଳ ହୁଏ ଉଛୁର
ସବୁ ଛାଡ଼ି ଝାଡ଼ି ଝୁଡ଼ି ହୋଇ ପଳାଏ ଦୌଡ଼ି
ତା' ଘରକୁ ମା'ର କୋଳକୁ ଅଭୟ ଆଶ୍ରୟସ୍ଥଳକୁ
ଜୀବର ଜୀବନ ତଦୃପ ଆସେ ଯାଏ ପୁନଃ ପୁନଃ
ଜନ୍ମ ଜନ୍ମାନ୍ତର ଧରିଥାଏ ସେ କାଳର ଅଧିନରେ
ତା'ର ସବୁ ରହେ ଅଟକି ପାରେନା ଆଉ ସଜାଡ଼ି ରଖି
ଆସି ପହଞ୍ଚି ଗଲେ ନିର୍ଦ୍ଧାରିତ ଶେଷ ଠିକଣା।