STORYMIRROR

Kabiratna Nutan Kumar Behera

Tragedy Action Classics

4  

Kabiratna Nutan Kumar Behera

Tragedy Action Classics

ଶେଷ ଠିକଣା

ଶେଷ ଠିକଣା

1 min
253

   

ସମୁଦ୍ରର ଅନନ୍ତ ଗର୍ଭରୁ ଛୁଟି ଆସେ ଗୁରୁ ଜୁଆର

ସମୟର କ୍ରମାନ୍ଵୟରେ ଶବ୍ଦ କରି ଗୁରୁ ଗମ୍ଭୀର

ମଥା ନତ କରି ଛୁଏଁ ବେଳାଭୂମିର ମୁକୁଳା ପାଦ

ପୁନଶ୍ଚ ଫେରି ଯାଏ ଆସିଥିବା ବାଟରେ ତାର

ଘନ ଅନ୍ଧାରର ବୁକୁ ଚିରି ଉଇଁ ଆସେ ସୂରୁଜ

ଢ଼ାଳି ଦିଏ ଉଜ୍ଜ୍ୱଳ ଆଲୋକ ଦେଖାଏ ଚଲା ପଥ

ଦିବସର କର୍ମ ଶ୍ରମ କ୍ଳାନ୍ତି ପରେ ନିଏ ବିଶ୍ରାମ

ବିଞ୍ଚି ଦିଏ ଅସ୍ତରାଗରେ ବିଗତ ସ୍ମୃତିର ଚିତ୍ରପଟ୍ଟ

ପ୍ରକୃତି ବଦଳେ କ୍ଷଣକୁ କ୍ଷଣ ହୁଏ ଅଭିନବ

ପ୍ରତିଟି ଶେଷ ଦିଏ ଆଉ ଏକ ଆରମ୍ଭର ଶୁଭସୂଚନା

ପ୍ରତ୍ୟେକ ଆରମ୍ଭର ଅଛି ଶେଷ ସୀମାରେଖା 

ଦୃଶ୍ୟରେ ସରଳ ବକ୍ର ଲମ୍ବ ଅଦୃଶ୍ୟରେ ଏକ ଚକ୍ର

ସେ ଚକ୍ର ଖେଳେ ଚକା ଭଉଁରୀ ବିଧିର ବିଧାନରେ

ସବୁ କିଛି ରୂପାନ୍ତର ହେଉଥାଏ ତା' ଇଙ୍ଗିତରେ

ଜନ୍ମ ମୃତ୍ୟୁର ଚକ୍ରରେ ବନ୍ଧା ହୋଇଥାଏ ଜୀବନ

ଜୀବ ଭାବୁଥାଏ ଅଛି ସବୁ ତାର ଅକ୍ତିଆରରେ

ଖୋଜେ ପାଏ ପୁଣି ଅନୁସନ୍ଧାନ ରଖିଥାଏ ଜାରି

ଜିତିବାର ଶତ ଶତ ପ୍ରଚେଷ୍ଟା ଉଦ୍ୟମ ସତ୍ତ୍ବେ 

ନିଜ ପାଖରେ ଦୁନିଆଁ ଆଗରେ ଯାଉଥାଏ ହାରି

ଭୁଲିଯାଏ ଲକ୍ଷ୍ୟ ବାଟୋଇଟିଏ ଚାଲି ତା' ବାଟରେ

ଅବୋଧ ଶିଶୁ ସମ ଖେଳରେ ସାଉଁଟେ ଯା' ପାଏ 

କିଛି ଅନାବଶ୍ୟକକୁ ମନେ କରେ ବହୁତ ଆବଶ୍ୟକ

ଭାବୁଥାଏ ତା' ଆଗରେ ଥିବା ସବୁ କିଛି ରତ୍ନ ଦୁଷ୍ପ୍ରାପ୍ୟ 

ଛଡାଇ ନେଲେ କେହି ରାହା ଧରି କାନ୍ଦେ ଭୀଷଣ

ଜାବୁଡ଼ି ଧରେ ନ ଦେବାକୁ ବାଲିର ରେଣୁଟିଏ 

ସମୟ ଆସିଲେ ଖେଳିବାର ବେଳ ହୁଏ ଉଛୁର  

ସବୁ ଛାଡ଼ି ଝାଡ଼ି ଝୁଡ଼ି ହୋଇ ପଳାଏ ଦୌଡ଼ି 

ତା' ଘରକୁ ମା'ର କୋଳକୁ ଅଭୟ ଆଶ୍ରୟସ୍ଥଳକୁ

ଜୀବର ଜୀବନ ତଦୃପ ଆସେ ଯାଏ ପୁନଃ ପୁନଃ

ଜନ୍ମ ଜନ୍ମାନ୍ତର ଧରିଥାଏ ସେ କାଳର ଅଧିନରେ

ତା'ର ସବୁ ରହେ ଅଟକି ପାରେନା ଆଉ ସଜାଡ଼ି ରଖି

ଆସି ପହଞ୍ଚି ଗଲେ ନିର୍ଦ୍ଧାରିତ ଶେଷ ଠିକଣା।

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy