ଓଡ଼ିଆ ଜାତିର ଲଢୁଆ ବୀର-25: ମଣି ସାଆନ୍ତରା
ଓଡ଼ିଆ ଜାତିର ଲଢୁଆ ବୀର-25: ମଣି ସାଆନ୍ତରା
ଇଂରେଜ ବିରୋଧୀ ସୋମନାଥ ସିଂହ ଲୁଚିଥିଲେ ଗୁପ୍ତ ଦୁର୍ଗରେ,
ରାମ-ଲକ୍ଷ୍ମଣ ନାମରେ କମାଣ ରହିଥିଲା ମୁଖ୍ୟ ମାର୍ଗରେ ।
କୃଷ୍ଣଚନ୍ଦ୍ର ନାମେ ଖ୍ୟାତ ସେହି ଦୁର୍ଗ ଅନୁଗୁଳ ଥିଲା ଅଶାନ୍ତ,
ରାଜାଙ୍କୁ ଖୋଜୁଛି କ୍ୟାମ୍ବେଲ ସାହେବ ସେନାପତି ବଡ଼ ଦୁର୍ଦ୍ଦାନ୍ତ ।
ଦୁର୍ଗ ଦୁଆରେ ପହରା ଦେଉଛି ମଣି ସାଆନ୍ତରା ପାଇକ,
ମନରେ ଭରିଛି ଅଦମ୍ୟ ସାହସ ଖଣ୍ଡାୟତ କୁଳ ନାୟକ ।
ପୁଲିସ ବାହିନୀ ଆଗେଇ ଆସୁଛି କଚମଚ କରି ଶବଦ,
ମଣି ସାଆନ୍ତରା ଜାଣିଲେ ଏଥର ରାଜାଙ୍କୁ ପଡ଼ିଲା ବିପଦ ।
ଧାଇଁଲେ ତୁରିତେ କମାଣ ପାଖକୁ ଲଗାଇଲେ ତହିଁ ଅନଳ,
ଚାହିଁଲେ ଚକିତେ ଘାତକ ଜଣେ କେ ବିଶ୍ଵାସେ ଦେଇଛି ଗରଳ ।
ବାରୁଦ ନାହିଁ କି ଜାଳେଣି ନାହିଁ ତ ଜଳରେ ଭରିଛି କମାଣ,
ଜାଣିଲେ ଏଥର କ୍ୟାମ୍ବେଲ ଗୁଳିରେ ନିଶ୍ଚୟ ହୋଇବ ମରଣ ।
ଦମ୍ଭଧରି ବୀର ମଣି ସାଆନ୍ତରା ଜଗିଲେ ଦୁର୍ଗର ଦୁଆର,
ଗୋରା ସେନାପତି ହୁକୁମ ଝାଡ଼ିଲେ ରାଜାଙ୍କୁ ଆଣରେ ବାହାର ।
ଫିରିଙ୍ଗି କଥାକୁ ବେଖାତିର କରି ମଣି କହେ-କିଆ ଡରିବି ?
ରାଜଦ୍ରୋହୀ କାମ କରି ପାରିବିନି ମରିଲେ ପଛକେ ମରିବି ।
ବନ୍ଧୁକ ଦେଖାଇ ଫିରିଙ୍ଗି ସାହେବ ଡରାଇଲେ ଦେଇ ଧମକ,
ଗୁଳିର ଶବଦେ ଥରିଗଲା ଦୁର୍ଗ ଚମକିଲା ରାଜା ମୂଲକ ।
ମଣି ସାଆନ୍ତରା ଭୂଇଁରେ ଲୁଟିଲେ ଚୁମି ମାଟିମା’ ଚରଣ,
ରହିଗଲା କଥା ନୁଇଁଲେନି ମଥା ମରଣକୁ କଲେ ବରଣ ।
