ଓଡ଼ିଆ ଜାତିର ଲଢୁଆ ବୀର-19: ପିଣ୍ଡିକ ବାହୁବଳୀନ୍ଦ୍ର
ଓଡ଼ିଆ ଜାତିର ଲଢୁଆ ବୀର-19: ପିଣ୍ଡିକ ବାହୁବଳୀନ୍ଦ୍ର
ପାଇକ ବିଦ୍ରୋହ ଆରମ୍ଭ ବେଳରେ ପିଣ୍ଡିକ ବାହୁବଳୀନ୍ଦ୍ର,
ଦେଶପ୍ରେମୀ ଯୋଦ୍ଧା ନିଜ ବାହୁବଳେ ଗଢିଲେ ବିଦ୍ରୋହୀ କେନ୍ଦ୍ର ।
ଧନୁ-ତୀର ଛୁରୀ ଖଣ୍ଡା ତରବାରୀ ସମର କୌଶଳେ ବୀର,
ବିଶାଳ ବପୁର ବାହୁବଳ ଦେଖି ପୁଲିସକୁ ଲାଗେ ଡର ।
ବିଦେଶୀ ଶାସକ ସାଜିଲେ ଶୋଷକ ବଙ୍ଗବାସୀ କର୍ମଚାରୀ,
ଫିରିଙ୍ଗି ବଳରେ ସବୁସୁଖ ନେଇ ହୋଇଥିଲେ ଅତ୍ୟାଚାରୀ ।
ବିଦ୍ରୋହୀ ସାଜିଲେ ଦଳେଇ ପିଣ୍ଡିକ ଗଢିଲେ ପାଇକ ସେନା,
କର୍ମଚାରୀ ମାରି ଆତଙ୍କିତ କରି ଲୁଟିଲେ ଖଜଣା ଖାନା ।
ଖୋରଧା ରାଇଜେ ପୁଲିସ ଶାସନ ଚାଲିଲା ଦମନ ଲୀଳା,
କିଏ ସେ ପାଇଲା ଫାଶୀଦଣ୍ଡ ପୁଣି କିଏ କଳାପାଣି ଗଲା ।
ପିଣ୍ଡିକ ବୀରକୁ ଧରିଦେବା ପାଇଁ ଯାଚିଲେ କମ୍ପାନୀ ଟଙ୍କା,
ପୁରସ୍କାର ଲୋଭେ ବିଶ୍ଵାସ ଘାତକ ମୁହଁ କରିଦେଲେ ବଙ୍କା ।
ନିଜ ବୁଦ୍ଧିବଳେ ପୁଲିସ ଆଖିରେ ଧୂଳିଦେଇ ବାରବାର,
ଖସି ଯାଉଥିଲେ ଅସ୍ତ୍ରଶସ୍ତ୍ର ଧରି ବିଦ୍ରୋହୀ ପିଣ୍ଡିକ ବୀର ।
ହାତେଥିଲା କଡ଼ି ଅଣ୍ଟାରେ ଦଉଡ଼ି କରୁଥିଲେ ପଳାୟନ,
କାଠଯୋଡ଼ି ନଦୀ ପାରି ହେବାବେଳେ ଗୁଳି ହୋଇଲା ବର୍ଷଣ ।
ନକରି ଖାତର ଧାଉଁଥିଲେ ବୀର ଘେରିଗଲେ ଅସ୍ତ୍ରଧାରୀ,
ଅସଂଖ୍ୟ ଗୁଳିରେ ଟଳିଲେ ପିଣ୍ଡିକ ବୀର ଅଭିମନ୍ୟୁ ପରି ।
ସ୍ୱାଭିମାନୀ ବୀର ବାହୁବଳୀନ୍ଦ୍ର ସେ ନାମକୁ ସାର୍ଥକ କଲେ,
ବକସି ଜଗବନ୍ଧୁ ସର୍ଦ୍ଦାର ହରାଇ ମର୍ମାହତ ହୋଇଥିଲେ ।
