ସଚେତନ ମୁହିଁ ଅଛି
ସଚେତନ ମୁହିଁ ଅଛି
ବାପାଙ୍କ ସାଥିରେ ଦିନେ
ଯାଇଥିଲି ବଜାରକୁ,
ଦେଖିଲି ସ୍ତ୍ରୀଲୋକଟିଏ
କଥା ହେଉଛି ମନକୁ ।
ହସି ହସି ଗୁଣୁଗୁଣୁ
ସେ ତ କହୁଥାଏ କିଛି,
କାହାକୁ ପଚାରୁଥାଏ
ଝିଅ ମୋର କେଣେ ଅଛି ?
ଦେଖିଛକି ଆସିବାକୁ
ମୋତେ କହିଥିଲା ରଜେ,
ଚାହିଁଛି ତା' ବାଟ ପରା
ସକାଳ ଆଉ ସଞ୍ଜେ ।
ପଚାରିଲି ବାପାଙ୍କୁ ମୁଁ
ୟାଙ୍କ ଝିଅ ଅଟେ କିଏ ,
ସରିତା ପା' ଗତବର୍ଷ
ବାହା ହୋଇଥିଲା ଯିଏ ।
ଲୋକ ଜଣେ କହିଲେ
ଝିଅ ଶାଶୁଘର ଲୋକ,
ଜାଳି ମାରିଦେଲେ
ତାକୁ ମାଗି ଯଉତୁକ ।
ସେ ଦିନୁ ଏ ଝୁରିଝୁରି
ପରା ପାଗଳି ହୋଇଛି,
ପୁଅ ନେଇ ତା'ର ଡାକତର
ପାଶେ ଦେଖାଉଛି ।
ଆଜି ଆସିଥିଲା ସାଥେ
ଖୋଜୁଅଛି ସିଏ ତେଣେ,
ଭଲ ହେଲା ଭେଟିଗଲି
ଆସି କରି ମୁହିଁ ଏଣେ ।
ଝିଅ ଲୋ ତୁ ପଢ଼ୁଥିବୁ
ନିତି ମନ ଦେଇ ପାଠ,
ତା' ସହିତ ଶିଖୁଥିବୁ
ଧ୍ୟାନ ରଖି ଭଲ ଶାଠ ।
ଦୁନିଆରେ ରହିଅଛି
କେତେ କେତେ ଯେ ସମସ୍ୟା,
ନିଜ ଗୋଡେ ଛିଡ଼ା ହେବୁ
ତୁହି ହୋଇବୁ ନମସ୍ୟା ।
ବାପା କହିଲେ ତାହାଙ୍କୁ
ସଚେତନ ମୁହିଁ ଅଛି,
ଝିଅକୁ ମୋ ଲକ୍ଷ୍ମୀବାଇ
ଦୁର୍ଗାବତୀ ଭଳି ଯେ ଗଢୁଛି ।
ଯେ କରିବ ନିଜ ସହ
ଏଇ ସମାଜ ସୁରକ୍ଷା,
ସଂକଳ୍ପ ନେଲି ଆଗେ ମୁଁ
ପୂରା କରିବି ମୋ ଶିକ୍ଷା ।
ବାପାଙ୍କ କଥାକୁ ନିଶ୍ଚେ
ମୁହିଁ ରଖିବି ଧିଆନ,
ବଡ଼ ହୋଇ କରିଯିବି
ଯେତେ କାର୍ଯ୍ୟ ଯେ ମହାନ ।