STORYMIRROR

sushama Parija

Tragedy

3  

sushama Parija

Tragedy

ସ୍ୱପ୍ନର ଘର

ସ୍ୱପ୍ନର ଘର

2 mins
331



ପୁଅରେ ! ଆଜି ଅନେକ ଦିନ ପରେ ବୁଝି ପାରୁଛି ଯେ,

ଇଟା ବାଲି ସିମେଣ୍ଟରେ ତିଆରି ହୋଇଥିବା ଘରଟିଏ

ପ୍ରକୃତ ଅର୍ଥରେ ଘର ନୁହେଁ, ଖାଲି ଗୋଟାଏ ସୌଧ।।

ମନେ ପଡୁଛି ପିଲାଦିନେ ପଡିଥିବା ବର୍ଣ୍ଣବୋଧ ର ପଦ

“ ସରଗ ସମାନ ଆହା ଅଟେ ସେହି ଘର,

ପରସ୍ପର ସ୍ନେହ ଯହିଁ ଥାଏ ନିରନ୍ତର “

ଆଜି ମୋର ହୃଦ୍ ବୋଧ ହେଉଛି, ପ୍ରକୃତରେ

କେଡେ ନିଚ୍ଛକ ସତ୍ୟ କଥାଟିଏ ଥିଲା ସେ,

ଘର ଘର ହୋଇ ମାଆ ତୋ’ର ବ୍ୟାକୁଳ ହେଲା,

ପିଲାମାନଙ୍କ ପାଇଁ ଘର ଖଣ୍ଡିଏ ତ କର ରାଜଧାନୀରେ,

ସାମନ୍ତରା ବାବୁ, ପଟ୍ଟନାୟକ ବାବୁ କେବେଠୁ କଲେଣି,

ଆମ ପିଲା କ’ଣ ଆଉ ସେ ଢେଙ୍କାନାଳ ଗାଁ ରେ ରହିବେ?

ଏଇଠି ରାଜଧାନୀ ରେ ତୁମର ଚାକିରୀ କାଳ ସରିବା,

କ୍ୱାର୍ଟର ତ ଛାଡିବାକୁ ପଡିବ ନିଶ୍ଚୟ, ଅନ୍ତତଃ ତା’ପୂର୍ବରୁ,

ଘରଟିଏ ଥାଉ, ପାଞ୍ଚ ପ୍ରାଣୀ ମୁଣ୍ଡ ଗୁଞିବାକୁ ,ତା’ରି କଥାରେ

ଗାଁ ର ବାପଅଜା ଅମଳ ର ଭିଟାମାଟି ବିକ୍ରି କଲି, ତୋ ମାଆର

ବାପଘରୁ ଆଣିଥିବା ଗହଣାଗାଣ୍ଠି ବିକ୍ରି କଲି, ତଥାପି ସରିଲାନି,

ଘରକାମ, ପ୍ରୋଭିଡେଣ୍ଟ ଫଣ୍ଡ ର ଟଙ୍କା ବି ସରିଗଲା ସେଇଠି ।

ଘର ତିଆରି ସରିବା ଆଗରୁ ମୋ ବାପା ମାଆ ଚାଲିଗଲେ ,

ବୋଧହୁଏ ଗାଁ ର ପାଣି ପବନରେ ଅଭ୍ୟସ୍ତ ଶରୀର ତାଙ୍କର

ରାଜଧାନୀର ଗୋଲାମଗିରି ସହି ପାରିଲାନି, ତୁ ବଡ ହେଲୁ,

ପାଠ ଶାଠ ପଢି ଇଞ୍ଜିନିଅର ହୋଇ ବିଦେଶରେ ଚାକିରୀ କଲୁ,

ପର ଲାଗିଲା ରୁ ଆମ ବସା ଛାଡି ଉଡିଗଲୁ ଦୂରକୁ, ଦୂରକୁ,

ତୋ ‘ ପାଇଁ ଆକାଶ ର ସୀମା ସରହଦ ନାଇଁ, ହେଲେ

ବାବୁରେ! ବୟସ ବଢିଲା ପରେ ଆମେ ହୋଇଗଲୁ ସୀମିତ,

କେବେ ରୋଗ ଭିତରେ ତ କେବେ କର୍ତ୍ତବ୍ୟବୋଧ ଭିତରେ,

ତୋ’ର ବାଟ ଚାହିଁ ଚାହିଁ ତୋ ‘ ମାଆ ଚାଲିଗଲା, କିନ୍ତୁ

ହାୟ ରେ ଏ ଘର ର ମୋହ, ସିଏ ମତେ ଏମିତି ବାନ୍ଧି ରଖିଛି ଯେ

ତା’କୁ ଛାଡି ତୋ’ର ଶତ ଅନୁରୋଧ ସତ୍ତ୍ୱେ ମଧ୍ୟ ମୁଁ ଯାଇ ପାରୁନି,

ତତେ, ମୋର ବୋହୂକୁ, ନାତି ନାତୁଣୀ ଙ୍କୁ ଦେଖିବାକୁ ଖୁବ୍ ଇଛା,

ହେଲେ ଏଇ ଘରର ମୋହ ଅକ୍ଟୋପସ୍ ପରି ଜାବୁଡି ଧରିଛି ମତେ,

ମୁଁ ସଂପୂର୍ଣ୍ଣ ଭାବରେ କବଳିତ ହୋଇ ସାରିଛି , ନିଜକୁ ସମର୍ପି ଦେଇଛି

ମୋର ଝାଳବୁହା ପରିଶ୍ରମ ର ଏକମାତ୍ର ଉପଲବ୍ଧି ସେଇ ଘର ଟି ପାଖରେ,

ବାରମ୍ବାର ଅନୁରୋଧ କରି ଅସଫଳ ହୋଇ ତୁ ଅଭିମାନ ରେ ଫେରି ଗଲୁ,

ହେଲେ ମୁଁ ପଡି ରହିଛି ରାଜାଧିରାଜ ହୋଇ ମୋର ଏଇ ସ୍ୱପ୍ନ ମହଲରେ,

ତତେ ତ ଅଜାତଶତ୍ରୁ କେବେ ବି କହି ପାରିବିନି, ମୁଁ କିନ୍ତୁ ରାଜା ବିମ୍ବିସାର ,

ନିଜ ନିଃସଙ୍ଗତାରେ ଆକ୍ତା ମାକ୍ତା ହୋଇ ଦିନେ ଚାଲି ଯିବି ମୋ ନଅର ରେ ।।




Rate this content
Log in

Similar oriya poem from Tragedy