STORYMIRROR

Aparti Charan Sethi

Tragedy

4  

Aparti Charan Sethi

Tragedy

ମୁକ୍ତିଦ୍ଵାର

ମୁକ୍ତିଦ୍ଵାର

1 min
395


ସ୍ଵାମୀ ସେବା ଅଟେ ମୁକତିର ଦ୍ଵାର

   ସଧବା ନାରୀଟି ପାଇଁ,

ମୁକ୍ତି ଶେଷ ଆଶା କାଳିଆ ଭରସା

   ଭକତର ‍ ଲକ୍ଷ୍ଯ ଏହି।

ମୁକତି ଲଭିବା ଜୀବନରେ ଚିନ୍ତା

   ଥରେ ଯେବେ ଆସିଯାଏ,

ସଂସାର ବାସନା ତୁଚ୍ଛ ଲାଗେ ସିନା

   ବିଭୁ ପାଶେ ମନ ରହେ।

ସତ୍ଯ,ଶାନ୍ତି,ଦୟା, କ୍ଷମା ଚତୁର୍ଗୁଣ

   ହୃଦେ ହୁଏ ପ୍ରକଟିତ,

ବିଷୟା ଆସକ୍ତି ତ୍ୟାଗକରି ବ୍ୟକ୍ତି

   ଶେଷରେ ଯାଏ ବୈକୁଣ୍ଠ।

କାମନା ବିଳାସୀ ଦର୍ଶନେ ରୂପସୀ

   ଧାଏଁ ତାର ସାନ୍ନିଧ୍ଯରେ,

ଭାବେ ମୁକ୍ତିଦ୍ଵାର ପ୍ରେମିକା ପୟର

   ସବୁ ସୁଖ ସେଠି ମିଳେ।

ମଦ୍ଯପର ଲକ୍ଷ୍ୟ ନିଶା ମୁକ୍ତିପଥ

    ମଦଭାଟି ମୁକ୍ତିଦ୍ଵାର,

ଅର୍ଥ ପିପାସୁଟି ଲୋଭଗ୍ରସ୍ତ ହୋଇ

    ଟଙ୍କାର ନିର୍ମାଣେ ଗଡ଼।

ନୁହେଁ କେବେ ମୁକ୍ତି ଅହଂରେ ଆସକ୍ତି

    ହୋଇଯାଏ ପ୍ରାଣୀ ଯେବେ,

ଅଚିରେ ଜୀବନ ପୁଣି ହିନୀମାନ

    ନର୍କ ଭୋଗେ ପରାଭବେ।

ଆବଦ୍ଧ କ‌ଏଦୀ କାରାଗାରେ ବନ୍ଦୀ

    ଯେବେ ଦିନକାଟୁଥାଏ,

ମୁକ୍ତି ହେଲାଦିନ ଆନନ୍ଦେ ନୟନୁ

    ଅଶ୍ରୂ ତାର ବହିଯାଏ।

 ତେଣୁ ଏ ଜୀବନ ଦୁର୍ଲ୍ଲଭଟି ଜାଣ

    ପର ଉପକାର ପାଇଁ,

ଗୋମାତା ଅପରେ ଦୁଗ୍ଧ ଦାନଦିଏ

   ମୁକ୍ତିପଥ ତାର ସେହି ।

ବୃକ୍ଷ ଫଳ ଯାଚି ଆମକୁ ଦେଉଛି

    ନଦୀ ଶୋଷ ମେଣ୍ଟାଉଛି,

ସେଭଳି ଭକତ ପରୋପକାରରେ

    ଅନ୍ତେ ମୁକ୍ତି ଲଭୁଅଛି।

ସତ୍ଯଯୁଗେ ପ୍ରଭୁ ହିରଣ୍ଯ ବିଦାରୀ

    ପ୍ରହଲ୍ଲାଦେ ଦେଲେ ମୁକ୍ତି,

ପ୍ରଭୁ ତ୍ରେତୟାରେ ରାମ ଅବତାରେ

    ଅହଲ୍ୟା ତାରି ଅଛନ୍ତି ।

 ଦ୍ଵାପରେ ଶ୍ରୀହରି ଧର୍ମ ରକ୍ଷା କରି

    ପାଣ୍ଡବେ କରିଲେ ରକ୍ଷା,

ଏକଳି ଯୁଗରେ ଭାବଡୋରେ ବନ୍ଧା 

    ପ୍ରଭୁ କାଳିଆ ଦେବତା।

ଜୀବନର ପଥ ଆଜି କଣ୍ଟକିତ

    ଚାଲୁଚାଲୁ ଝୁଣ୍ଟିପଡେ,

ତୋଳି ନିଅ ପ୍ରଭୁ ତୁମ ବାହୁବଳେ

   ଏତିକି ମାଗୁଣି କରେ।

ଏ ମା଼ୟା ସଂସାର ସତେ କାରାଗାର

    ପ୍ରାୟ ଆଜି ଲାଗୁଅଛି,

ଦିଅ ବାରେ ମୁକ୍ତି କରୁଛି ବିନତୀ

    ଦୁଃଖ ଭାରା ବଢୁଅଛି।

ଶେଷ ଗୀତ ତୁମ ସେହି ରାମନାମ

    ଶେଷ ବେଳେ କଣ୍ଠେ ଦିଅ,

ଶେଷନିଃଶ୍ୱାସ ମୋଛାଡ଼ିବାର ବେଳେ

    ମୁକ୍ତି ଦ୍ଵାରେ ନେଇ ଯାଅ।

ଅସହ୍ୟ ହେଲାଣି ଜଞ୍ଜାଳ ବୋଝଟି

    ଥକି ପଡିଲିଣି ମୁହିଁ,

ଏ ଦୀନ ଅପର୍ତ୍ତି ଗୁହାରୀ କରୁଛି

    ଶ୍ରୀରଙ୍ଗା ଚରଣ ଧ୍ଯାୟୀ।

   ଜୟ ଶ୍ରୀ ବଳଦେବଜୀଉ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy