ଶୀତ ଆଉ ଅଜିତ୍ ମଣ୍ଡଳ
ଶୀତ ଆଉ ଅଜିତ୍ ମଣ୍ଡଳ


ଶୀତ ଲହରୀ ଟା ମୋଟେ ପଶି ପାରେନା
ପୁରୀ ର ପେଣ୍ଠକଟା ନୋଳିଆ ବସ୍ତି ରେ ,
ନୂଆଁଣିଆ ପଲା ର ଦଦରା ପଞ୍ଜରା ରେ ଖୁବ ବଳ
ସେ ଜୋର୍ ଜବରଦସ୍ତି ଅଟକାଇ ରଖେ ଶୀତକୁ ।
ସେଇ ପଲା ଭିତରେ ରହୁଥିବା ଅଜିତ୍ ମଣ୍ଡଳ ର
କଳା ମଚ୍ ମଚ ଦେହ ଆଉ ଚଉଡା ଛାତି କୁ
ମଧ୍ୟ ଖୁବ୍ ଡରି ଯାଏ ଶୀତ, ଶିର୍ ଶିର୍ କରୁଥିବା
ଥଣ୍ଡା ସମୁଦ୍ର ଯାହାର ପିଲାଦିନର ସାଥୀ,
ତା’କୁ ଛାର ଶୀତଟା କ’ଣ ବା ଡରେଇବ ଯେ ?
ସେ କାଳି ଅନ୍ଧାରୁ ଉଠି ,ବାହାରର ଘନ କୁହୁଡି କୁ
ତା’ର ବିଡି ଧୂଆଁ ରେ ଫୁଃ କରି ହୁରୁଡେଇ ଦିଏ ଶୀତକୁ,
ଶସ୍ତା ଷ୍ଟିଲ୍ ର ବେଲାରେ ବେଲାଏ ପଖାଳ ସାଥିରେ
ପଥରମୁଣ୍ଡି ଶୁଖୁଆ ପୋଡା, ରସୁଣ କଞ୍ଚା ଲଙ୍କା ର ଅଣପାଣି,
ଆଃ କି ଆନନ୍ଦ ସତେ ! ଭୁରି ଭୋଜନ ତ !
ପେଟକୁ ଫୁଲେଇ ଅଜିତ ମଣ୍ଡଳ ଦୁମ୍ ଦୁମ୍ କରି
ତା’ ଲମ୍ବ ଲମ୍ବ ପାହୁଣ୍ଡ ପକେଇ ମାଡି ଚାଲେ ସମୁଦ୍ର କୂଳକୁ
ସକାଳ ହେଲେ ସେଠି ଯାତିରୀ ଙ୍କ ଭିଡ ଲାଗିବ ,
ସେଠି ତା’ ଭଳିଆ ଆହୁରି ଅନେକ ଅଜିତ ମଣ୍ଡଳ ଙ୍କ ଭିଡ
ଯାତିରି ଦଳଙ୍କୁ ନିଜ ଆଡକୁ ଟାଣିବା ପାଇଁ ଲୋଭିଲା ଆଖି ।।
ବାହାର ରାଜ୍ୟରୁ, ଦେଶରୁ ଆସିଥିବା ମାଲ୍ ଦାର୍ ଯାତିରି
ପିଲା ମାନଙ୍କ ସହିତ ବାପା ମାଆମାନେ , ଯୁବକ ଯୁବତୀ
ଜୀବନକୁ ଉପଭୋଗ କରିବାର ନିଶାରେ ସମସ୍ତେ ମଶଗୁଲ୍
ଯୁଆନ ଙ୍କ କଥା ଥାଉ, ବୁଢା , ଦର ବୁଢା ମାନେ ତ ବେଶୀ ମସ୍ତ ।।
ଗୋଡରୁ ମୁଣ୍ଡ ଯାଏ ଘୋଡେଇ ହୋଇଥିବେ ଶୀତ ପୋଷାକ ,
ଟିକିଏ କଅଁଳ ଖରା ପଡିଲେ ଧାଡି ଲଗାଇବେ ସମୁଦ୍ର କୂଳରେ
ଠିକ୍ ଅଜିତ୍ ମଣ୍ଡଳ ପରି ଅଧା ଫୁଙ୍ଗୁଳା ବେଶ ପୋଷାକ ରେ
ଡଙ୍ଗାରେ ଗହୀର ସମୁଦ୍ର ଭିତରକୁ ଯିବେ ବଡ ଲହଡି ଭାଙ୍ଗି,
ବଡ ବଡ ଢେଉରେ ଖେଳି ମଜା ଉଠେଇବା ପାଇଁ ।
ଅଜିତ ମଣ୍ଡଳ କୁ ଖେଳାଇବାକୁ ପଡିବ ସେମାନଙ୍କୁ
ସେମାନେ ତା’ ହାତରେ ହାତ ଛନ୍ଦି, ଛାତିରେ ଜାବୁଡି ଧରିବେ ,
ସିଏ କାଳେ ଏଠାକାର ସବୁଠୁ ଭଲ ଖେଳୁଆଡ
ତା’ ସ
ାଥିରେ ଥିଲେ ଉତ୍ତାଳ ସମୁଦ୍ର କୁ ଭୟ ନଥାଏ ,
ଅନାୟାସରେ ସିଏ ବୁଲେଇ ଆଣିପାରେ ସମୁଦ୍ର ଭିତରୁ,
ସମୁଦ୍ର କାଳେ ଅଜିତ୍ ମଣ୍ଡଳର ଜୀଗରୀ ଦୋସ୍ତ , ତା’ର ଭାଇ ।।
ଅଜିତ୍ ମଣ୍ଡଳ ମନେ ମନେ ଭାବେ ଆଉ ହସେ
ସିଏ ଜାଣେ ପିଲାଟି ଦିନରୁ ,ତା’ ମାଆ ତା’କୁ
ଜନମ କରି ଏଇଠି ଫିଙ୍ଗିଦେଇ ଯିବା ଦିନୁଁ ,ଏଇ ସମୁଦ୍ର ହିଁ
ତା’ ର ସାଙ୍ଗ ସାଥୀ, ଭାଇ ବନ୍ଧୁ ,ବାପା ମାଆ ,ସବୁକିଛି ।
ଅଜିତ୍ ମଣ୍ଡଳ ବେଳେବେଳେ ଭାବେ , ବିଚିତ୍ର ଏ ଦୁନିଆଁ
ବଡ ଲୋକ ମାନଙ୍କର ସଉକ ବି ବଡ ବିଚିତ୍ର ! ଏଇ ଯେମିତି
ତା’ର ସିନା ପିନ୍ଧିବାକୁ ଭଲ ପୋଷାକଟିଏ ନାହିଁ ବୋଲି
ସିଏ ଏଇ ଲୁଙ୍ଗି ଟାକୁ ଭିଡିଭାଡି କଛା ମାରି ପିନ୍ଧେ,
ହେଲେ ଏମାନେ କାହିଁକି ଭଲ ପୋଷାକ ଖୋଲିଦେଇ ?
ତାଙ୍କ ବସ୍ତି ର ସାନା ହାଲଦାର୍, ଯାସ୍ମିନ୍ ପରମାଣିକ,
ସଞ୍ଜ ହେଲେ ବେଶଭୂଷା ହୋଇ ବାହାରି ଯାଆନ୍ତି
ସି ଭିୟୁ ହୋଟେଲ୍ ଭିତରକୁ ପେଟର ଭୋକ ପାଇଁ
ହେଲେ ଏଇ ସଭ୍ୟ ମଣିଷଗୁଡା ଏଇ ସମୁଦ୍ର କୂଳରେ
ଦିନ ଆଲୁଅରେ ଯାହା କରୁଛନ୍ତି ତାହା କୋଉଥିପାଇଁ ?
ଅଜିତ୍ ମଣ୍ଡଳ ର ମୁଣ୍ଡରେ ପଶି ପାରେ ନାହିଁ କିଛି ,
ସିଏ ଆଉ ତା’ର ସାଙ୍ଗସାଥୀ ମଜରା କାଟିବାକୁ ପିଅନ୍ତି,
ହେଲେ ଏଇ ସଭ୍ୟ ମଣିଷଗୁଡା କୋଉଥିପାଇଁ ଏମିତି ପିଅନ୍ତି ?
କେତେ ଅଳ୍ପ ରେ ସନ୍ତୁଷ୍ଟ ହୁଅନ୍ତି ଅଜିତ୍ ମଣ୍ଡଳ ମାନେ,
ହେଲେ ଏଇ ବଡ ଲୋକ ମାନଙ୍କ ଭିତରେ କାହିଁକି
ଏମିତି ଭରି ରହିଛି ସାରା ସମୁଦ୍ର ର ତୃଷା? ?
ଗୋଟାଏ ଛୋଟିଆ ପଲାରେ ସାତ ଆଠଜଣ
ଗୁଞ୍ଜା ଗୁଞ୍ଜି ହୋଇ ରହିଥିଲେ ମଧ୍ୟ ଖୁବ୍ ଖୁସି ଅଜିତ୍ ମଣ୍ଡଳ,
ହେଲେ ସାତ ମହଲା ର ସାତ ସାତଟା କୋଠା ଥାଇ ବି
କାହିଁକି ସନ୍ତୁଷ୍ଟ ନୁହଁନ୍ତି ଏଇ ବଡ ବଡ ଲୋକ ମାନେ ?
ସଭିଏଁ ତ ଲଙ୍ଗଳା ହୋଇ ଆସିଛେ ଏ ପୃଥିବୀ କୁ
ଦିନେ ସେମିତି ହିଁ ଯିବାକୁ ହେବ ସବୁ କିଛି ଛାଡିଦେଇ
ସମସ୍ତଙ୍କୁ ତ ଶେଷରେ ଲୋଡା ସେଇ ଛଅ ଖଣ୍ଡ କାଠର ସବାରି,
ଛଅ ହାତ ଭୂମି ଆଉ ନିଆଁ ହୁଳା ଟିଏ , ତେବେ କାହିଁକି ଏତେ ମୋହ ?