ହୋରି ରଙ୍ଗେ ବିହରି
ହୋରି ରଙ୍ଗେ ବିହରି


ମିତରେ ଦେଖ ବସନ୍ତ ଆସିଲା
ତରୁଲତା ହେଲେ ନବ ପଲ୍ଲବିତ
ଧରା ଅପୂର୍ବ ଶୋଭା ପ୍ରକାଶିଲା ।। ମିତରେ ..(ଘୋଷା)
ଚୂତ ଡାଳେ ଶୁଭେ କୋକିଳର କୁହୁ
ସରସୀରେ ସରସୀଜ ହସିଲା ।।
କଳି ମେଳରେ ଶୁଣ ଅଳି ମଧୁ ଗୁଞ୍ଜନ
ନୂପୁର ଝୁଣୁ ଝୁଣୁ ବାଜିଲା ।।
ବହେ ମୃଦୁ ମଳୟ ଝୁମନ୍ତି କିଶଳୟ
ରାଧା ରାଣୀ ମନ ଉଲ୍ଲସିଲା ।।
ଝୁରେ ସେ କୁଞ୍ଜବନ କାହ୍ନୁର ବଂଶୀସ୍ୱନ
ବେଣୁ ପ୍ରିତୀରେ ରାଇ ରସିଲା ।।
ଘରେ ଶାଶୁ ଜଟିଳା ନଣନ୍ଦ ସେ କୁଟୀଳା
କିଛି ବୁଦ୍ଧି ଆଉ ନ ଦିଶିଲା ।।
ସ୍ୱାମୀ ତା’ ଚନ୍ଦ୍ରସେଣା ଦିଅନ୍ତି ଉଲୁଗୁଣା
ଭାରିଜା କାହ୍ନୁ ପ୍ରେମେ ଫସିଲା ।।
ପ୍ରିୟ ସଖୀ ଲଳିତା ଜାଣେ ସବୁ ବାରତା
ଏକା ସେଇ ତ’ ସାହା ଦିଶିଲା ।।
ସଖୀକୁ ହକାରିଲା ହୃଦୟ ଖୋଲିଦେଲା
କାହ୍ନୁ ସଙ୍ଗେ ଭେଟାଅ ବୋଇଲା ।।
କାହ୍ନୁ ବିହୁନେ ପ୍ରାଣ ହାରିବି ନିଶ୍ଚେ ଜାଣ
ମୋ ରାଣ ସଖୀ ତୋତେ ରହିଲା ।
।
ରାଈ ଦୁଃଖରେ ଦୁଃଖୀ ହେଲା ଲଳିତା ସଖୀ
ଗୁପତେ କହ୍ନେଇକୁ କହିଲା।।
ଯେବେ ଆଜି ସଞ୍ଜରେ ନଭେଟିବ କୁଞ୍ଜରେ
ରାଈ କିଶୋରୀ କଥା ସଇଲା ।।
ଉଚ୍ଚାଟ କାହ୍ନୁ ମନ ନଦେଖି ରାଧା ମୁହଁ
ବିରହେ ଜଳୁଛି ପ୍ରାଣ ବୋଇଲା।।
ଧରୁଛି ତୁମ କର ରାଧା ଆଣ କୁଞ୍ଜର
ତା’ର ଦର୍ଶନ ପ୍ରାଣ ଇଚ୍ଛିଲା ।।
ହର୍ଷେ ଲଳିତା ଗଲା ରାଈ ତୁଲେ ମିଳିଲା
କାହ୍ନୁ ପ୍ରେମର ବାରତା ଦେଲା।।
ରାଈ ହୋଏ ସୁବେଶ ହୃଦେ ମିଳନ ଆଶ
ଲୋଡି କାହ୍ନୁ ପରଶ ଉତ୍ତଳା ।।
ରାଧା ଚାଲେ ଗୁପତେ ରଙ୍ଗ ଅବିର ହାତେ
ମାଳତୀ କୁଞ୍ଜେ ପ୍ରବେଶ ହେଲା ।।
ତ୍ରିଭଙ୍ଗ ଭଙ୍ଗେ ଉଭା କାହ୍ନୁ କି ମନଲୋଭା
ରାଧିକା କାହ୍ନା ହୃଦେ ଲାଗିଲା ।।
ଚିତ୍ତଚୋର ହେ ମୋର କହି ବୋଳେ ଅବିର
କାହ୍ନୁ ପ୍ରିତୀରଙ୍ଗରେ ମଜ୍ଜିଲା ।।
ଧନ୍ୟ ସେ କୁଞ୍ଜବନ ଯମୁନା ହେଲା ଧନ୍ୟ
ସେ ପ୍ରେମରେ ଧରା ଧନ୍ୟ ହେଲା ।।