STORYMIRROR

sushama Parija

Others

4  

sushama Parija

Others

ଆମ ଗାଆଁରେ ଗୋଟିଏ  ଶୀତ ସକାଳ

ଆମ ଗାଆଁରେ ଗୋଟିଏ  ଶୀତ ସକାଳ

1 min
412


ମାର୍ଗଶୀର ମାସ ମାଣବସା ଲାଗି 

ଗାଆଁକୁ ଆସିଛୁ ଧାଇଁ 

ପିଲେ ଥରୁଛନ୍ତି କାଠୁଆ ଶୀତରେ  

କମ୍ବଳ ଭିତରେ ଥାଇ ।


ମନ ମୋ’ର କିନ୍ତୁ ଉଚ୍ଛନ୍ନ ହେଉଛି

ଘେରାଏ ଆସନ୍ତି ବୁଲି 

ଯୁଗ ଟାଏ ହେବ ଗାଆଁ କୁ ଆସିନି

ଜଞ୍ଜାଳେ ଯାଇଛି ଭୁଲି ।


ଘର ବାହାରକୁ ପାଦ ବଢାଇଲି

ପଡିଛି କଅଁଳ ଖରା 

ମକରା ଭାଇର ଛେଳି ଛୁଆ ତାଙ୍କ 

ଡିହରେ ପୋହୁଁଛି ଖରା ।


ପେନ୍ଥି ପେନ୍ଥି ଝୁଲେ କାଗଜି ଲେମ୍ବୁ ଯେ 

ପୁନି ଖୁଡିଙ୍କ ବାଡିରେ 

ନାଲି କଇଁ ଙ୍କର ମେଳା ବସିଅଛି 

ଆମ ଗାଆଁ ପୋଖରୀରେ।


ଧାନ କଟା ବେଳ  ବିଲ ସାରା ଧାନ 

କଳେଇ ହୋଇଛି ଭରା 

 ହିଡ ମୁଣ୍ଡେ ଦେଖି ସୁନାର ଫସଲ

 ପୁରି ଯାଏ ହୃଦୟ ଟା।


ଅଳସୀ ନଦୀର ସରୁ ଧାରଟିଏ

ଗୋହିରୀ ଦେଇ ଧାଇଁଛି 

ଦୂର ପାହାଡ ରୁ ସବୁଜ ବନାନୀ

 ହାତ ଠାରି ଡାକୁଅଛି ।


ପଥ ଧାରୁ ଦିଶେ ଗାଆଁ ନାଲି ରାସ୍ତା

ଶିମ୍ବ କଲରା ର ରଞ୍ଜା

ଚମ୍ପା କଦଳୀ ର କାନ୍ଧି ମନ ଟାଣେ

ଜଗିଛି ଦାସିଆ ଅଜା ।


ଖପରୁଲି ଘର ଧାଡି ଧାଡି ଠିଆ 

ମଝିରେ ଛଣ ଛପର

ଯୁଗେ ପରେ ଆଜି ପୁଣି ଅତୀତ କୁ 

ଫେରିଯାଏ ମନ ମୋ’ର ।


ବାପାଙ୍କ ହାତରେ ହାତ ଛନ୍ଦି ବୁଲା 

ଧାନ କଟା ହଳା ଗଣା 

ଖଳା ରେ ବେଙ୍ଗଳା ଧାନ ଉଡା ପୁଣି 

ଗୁଡିଆ ଦୋକାନ ଚଣା ।


କି ସୁନ୍ଦର ସତେ ଗାଆଁ ଟି ଆମର

ତା’ ପରି କେହି ନାହିଁ 

ସହର ଟା ସିନା  କଂକ୍ରିଟ୍ ଜଙ୍ଗଲ 

ଅତୁଲ୍ୟ ମୋ’ ଗାଆଁ ଭୂଇଁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍