STORYMIRROR

sushama Parija

Romance

4  

sushama Parija

Romance

ଶୀତୁଆ ସଞ୍ଜର ସନେଟ୍

ଶୀତୁଆ ସଞ୍ଜର ସନେଟ୍

1 min
253

 ଶୀତୁଆ ସଞ୍ଜର ଘନ କୁହୁଡିରେ ଦିଶୁନଥିଲା ତା’ ମୁହଁ 

ତଥାପି ଲାଗିଲା ଆପଣାର କେହି ଛୁଇଁଗଲା ମୋ’ର ଦେହ 

ରେଳଷ୍ଟେସନର ପ୍ଲାଟଫର୍ମ ପରେ ଧାଡିବନ୍ଧା ପରବାସୀ

 ସଭିଏଁ ଆତୁର ପ୍ରାଣରକ୍ଷା ଲାଗି କିଏ ଯିବ ଆଗେ ବସି ।।


 ଅଦୃଶ୍ୟ ସର୍ପର ଦଂଶନ ଜ୍ୱାଳାରେ ସାରା ବିଶ୍ୱ ଆତଙ୍କିତ 

କିଏବା’ ପୋଛିବ କାହା ଆଖିଲୁହ ସଭିଏଁ ତ କଣ୍ଠାଗ୍ରତ 

ପାଖାପାଖି ହୋଇ ବସିଥିଲୁ ଆମେ ଯେ’ଯାହାର ଦୁଃଖ ନେଇ 

ଅନୁସନ୍ଧିତ୍ସୁ ମୋ’ ଆଖି ଦୁଇ ଥିଲା ନୀରବରେ ତା’କୁ ଚାହିଁ ।।


 ବିସ୍ମୃତିର ଗର୍ଭ ଭେଦି ହେଲା ଉଭା ସିଏ ଥିଲା ମୋର ପ୍ରିୟା 

ଭାସି ଯାଉଥିଲା ତା’ ସାଥିରେ ବିତା ସମୟ ଓ ଆମ ଗାଆଁ 

ତା’କୁ ସୁଖ ଦେବି ବୋଲି ସିନା ଦିନେ ଗାଆଁ ମାଟି ଛାଡିଥିଲି

 ସିଏ ଚାଲିଗଲା ଆଉ କା’ର ହୋଇ ଏକା ହୋଇ ରହିଗଲି ।।


 ଶୀତୁଆ ପବନ ଛୁଇଁ ଯାଉଥିଲା ଚୂର୍ଣ୍ଣ କୁନ୍ତଳ ତା’ର

 ଅପ୍ରାପ୍ତି ଶୀତରେ ମୋ’ର ହଦୟକୁ ଛିନ୍ନ କରି ବାର ବାର ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance