STORYMIRROR

Aparti Charan Sethi

Tragedy

4  

Aparti Charan Sethi

Tragedy

ସଂଶୋଧନ

ସଂଶୋଧନ

1 min
280


ହେ ସମୟ, ଫେରାଇ ଦିଅ

   ମୋର ହଜିଲା ଦିନ,

ଜୀବନେ ତ୍ରୁଟି ଯାହା ରହିଛି

   କରିବି ସଂଶୋଧନ।


ବାପାବୋଉଙ୍କ ନ ମାନି ବୋଲ

   ଅଝଟ କେତେ ହେଲି,

ପାଠ ପଢ଼ାରେ ମନ ନ ଦେଇ

    ଜୀବନ ନଷ୍ଟ କଲି।


ଅବାଟ‌ ମୋତେ ସଫା ଦିଶିଲା

    ଚାଲିଲି କଣ୍ଟା ପଥେ,

ଆଜି କ୍ଷତାକ୍ତ ମୋ ଭବିଷ୍ୟତ

    କପାଳ‌ ମୋର ଫାଟେ‌।


ନାହିଁ ଚାକିରୀ ଖଟେ‌ ମଜୁରୀ

    ପାଠ ପଢିନି‌ ବୋଲି,

ଅକୁହା କଥା ଦେଉଛି ବ୍ୟଥା

    ହୃଦ ଯାଉଛି ଚିରି।


ମୋର ଅତୀତ ଯେ କଳଙ୍କିତ

    ଭୁଲ୍ ମଣିଷ ମୁହିଁ,

ପାପ ଓ ପୁଣ୍ଯ ସତ ମିଛର‌

   ଠିକଣା ଜାଣେ ନାହିଁ।


ଗୁରୁଜୀ ଗୁରୁଜନ‌ ଦେବତା

    ଭକତି‌ କରି ନାହିଁ,

ପିଲାଙ୍କୁ କେବେ ବାନ୍ଧିପାରିନି‌

    ସ୍ନେହ ଆଦର ଦେଇ।


ଅନ୍ୟର ଉପକାର କରିନି

    ରହିଲି ସ୍ଵାର୍ଥେ ବୁଡି‌ ,

ହିଂସା କପଟ ରାଗ ଦ୍ଵୈଷକୁ

    କଲି ମୁଁ ଗଳାମାଳି‌।


କାହା ମଙ୍ଗଳ ଚିନ୍ତା କରିନି

    କରିନି ଓଷା ବାର,

ଯାଇନି କେବେ ବିଶ୍ଵାସ ରଖି

    କେଉଁ ମନ୍ଦିର ଦ୍ଵାର।


ଯେତେ ବୟସ ବିତିଛି ମୋର

    ଅନେକ ଭୁଲ୍ କରି,

ଅଣ‌ ଲେଉଟା ଜୀବନ ପୃଷ୍ଠା

    ଆସେନି‌ ଆଉ ଫେରି।


ଜାଣତେ ଅଜାଣତରେ‌ ଯେତେ

    କରି ଦେଇଛି ଭୁଲ୍,

ଏଣିକି ସୁଧୁରିବି ମୁଁ ଦୁଷ୍ଟ

    ହେବିନି‌ ବିଲ୍‌କୁଲ୍।


ପ୍ରଭୁ ପଦକୁ ଚିନ୍ତିବି ନିତି

    ସତ୍ୟକୁ ଆଚରିବି,

ଜୀବନ ସଂଶୋଧନ କରିବି

     ପ୍ରେମକୁ‌ ବାଣ୍ଟୁଥିବି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy