ପତିତପାବନ
ପତିତପାବନ
କରୁଣାର ବାରି ପଡୁଅଛି ଝରି
ପତିତ ଜନଙ୍କ ପାଇଁ
ପତିତପାବନ ମୋ ଲାଗି ନିଷ୍ଠୁର
ହୋଇଲ ପ୍ରଭୁ କିମ୍ପାଇ ।
ଜଗତକରତା ଜଗନ୍ନାଥ ତୁମେ
ବୁଜି ଦେଉଛ କି ଆଖି
ପାଷାଣ ଦେଉଳେ ପଥର ହେଲକି
ଏତେ ଦୁଃଖ ମୋର ଦେଖି ।
ପଲକ ପଡ଼େନି ଚକାଆଖି ତୁମ
ଅନାଇ ରହିଛ ପରା
ଅସହ୍ୟ ହେଉଛି ସଂସାର ଯାତନା
ଦେଉନ ଟିକେ ସାହାରା ।
ଶ୍ରୀ ମନ୍ଦିରରେ ଷାଠିଏ ପଉଟି
ଲକ୍ଷ୍ମୀଙ୍କ ହାତ ରାନ୍ଧଣା
କେମିତି ଖାଉଛ ବନ୍ଧୁ ହେ ମୋହର
ମୋର ଡାକିବା ହେଲା କି ଊଣା ।
ମୁଁ ଜଣେ ପତିତ ପାତିଅଛି ହାତ
କି ପାପ କରିଛି ମୁହିଁ
ଦେଖି ନଦେଖିଲା ପରି ବସିଅଛ
ରତ୍ନବେଦୀରେ ଗୋସେଇଁ ।
ଆତୁରେ ଡାକିଲି ହୃଦରେ ଚିନ୍ତିଲି
ବିପଦେ କଲି ଆସରା
ଥରଟିଏ ଆସି ଦେଲ ନାହିଁ ଦେଖା
ହେ ମୋର ରଙ୍ଗ ଅଧରା ।
ଶୁଭୁନାହିଁ ଡାକ କର୍ଣ୍ଣକୁ ତୁମର
କେତେ ମୁଁ ଡାକିବି ଆଉ
ଶୟନେ ସ୍ୱପନେ କରୁଛି ଚିନ୍ତନ
ତୁମ ନାମ ମହାବାହୁ ।
ଶ୍ରୀ ଭୁଜର ଆଶ୍ରା ଲୋଡ଼େ ଏ ଜୀବନ
ଅନୁକମ୍ପା ପ୍ରଭୁ କର
ଭବ ସାଗରରୁ ପାରି କରିଦିଅ
ଶ୍ରୀକ୍ଷେତ୍ରର କଳାକାର ।
ତୁମ ବଡ଼ପଣ ହେବ ନାହିଁ ଊଣା
ମୋ ସହ ଯୋଡ଼ିଲେ ଭାବ
ମାଗୁନାହିଁ କିଛି ପତିତପାବନ
ତୁମ ପାଦେ ସ୍ଥାନ ଦେବ।
