STORYMIRROR

Aparti Charan Sethi

Tragedy

4  

Aparti Charan Sethi

Tragedy

ଗାମୁଛା

ଗାମୁଛା

1 min
402


ଆଦର ବିନା କି ଭୋଜନ ସୁହାଏ

   ଗାମୁଛା ବିନା କି ସ୍ନାନ,

ବଡପୁରୁଷ ଯେ କହିଯାଇଛନ୍ତି

   କଥାଟିଏ ମୂଲ୍ୟବାନ।

ଓଡ଼ିଆ ସହିତ ଗାମୁଛା ଘନିଷ୍ଠ

    ସମ୍ପର୍କ ରକତଗତ,

ଗାମୁଛାରେ କଚ୍ଛା ମାରିବା କାଇଦା

    ଓଡ଼ିଆକୁ ଅବଗତ।

ଗାମୁଛା ପଗଡ଼ି ମୁଣ୍ଡରେ ବାନ୍ଧିବା

    ଚଷା ପୁଅଟିକୁ ଜଣା,

ଅଣ୍ଟାରେ ଗାମୁଛା ଭିଡିଦେଇ ଦେଖ

    ବଳ ଆସେ ସାତଗୁଣା‌।

ମୁଣ୍ଡ ଝାଳ ତୁଣ୍ଡେ ମାରିବା ପୂର୍ବରୁ

    ଗାମୁଛାରେ ମୁହଁ ପୋଛି,

ପିଣ୍ଢାରେ ଓଡ଼ିଆ ଥକ୍କା‌ ମେଣ୍ଟାଉଛି

    କାଳିଆ ନାଆଁକୁ ଘୋଷି।

ଶାଗଭଜା କଞ୍ଚାଲଙ୍କା ପଖାଳର

    ଭାବ ଥାଏ ଯେଉଁଭଳି,

ଗାମୁଛା ଧୋତି ଓ ଓଡ଼ିଆ ସମ୍ପର୍କ

    ଥାଏ ଠିକ୍ ସେହିଭଳି।

ଗାମୁଛା ସହିତ ବାନ୍ଧି ହୋଇଥାଏ

    ମାନବିକ ବ୍ୟବହାର,

ଯେଉଁଥି ପାଇଁକି ସଭାରେ ଗାମୁଛା

    ସମ୍ବର୍ଦ୍ଧନା ଉପଚାର।

ହେଉ ପୂଜାପାଠ ବିବାହ କି ବ୍ରତ

    ଗାମୁଛା ନିଶ୍ଚୟ ଲୋଡା,

ଯଜ୍ଞ ହୋମ ଶୁଦ୍ଧ କର୍ମ କି ସମ୍ଭବ

    ଜୋଡ କି ଗାମୁଛା ଛଡ଼ା?

ପୁରୋହିତ ପୂଜା ଉପକରଣରେ‌

    ଗାମୁଛା ତାଲିକା କରେ,

ଓଡ଼ିଆ ଘରର ପରିଚୟ ନାହିଁ

    ଏହି ବିନା ଗାମୁଛାରେ।

ଅର୍ଥ ସମ୍ବନ୍ଧୀୟ ଫାଙ୍କି ଦେବା ବେଳେ

    ଯଦି ଏ ଗାମୁଛା ଥିବ,

ବେକରେ ପକେଇ ଓଡ଼ିଆ ମରଦ‌

    ଟଙ୍କା ଆଦାୟ କରିବ ‌।

ସେ ଗାମୁଛା ଯଦି କବି ବେକେ ପଡେ

    କବି ହୁଏ ସମ୍ମାନିତ,

ଧନ୍ୟ ହେ ଗାମୁଛା ମୋ ପଖାଳ କଂସା

    ତୋତେ କୋଟି ଦଣ୍ଡବତ।

ଘରେ ମୁଁ ରହିଲେ ଗାମୁଛା ପିନ୍ଧୁଛି

    ଠାକୁର ପୂଜା କରୁଛି,

ସନା ଜେଜେ କିନ୍ତୁ ଅଶୀ ବରଷରେ

    ବରମୁଣ୍ଡା ପିନ୍ଧୁଅଛି‌।

ଗାମୁଛା ପିନ୍ଧାର‌ ମଜା‌ ଭଳି ଭାଇ

    ଲୁଙ୍ଗି ପିନ୍ଧିବାରେ ନାହିଁ,

ବରମୁଣ୍ଡା ଜିନ୍ ବୁଢ଼ା ଠାରୁ ଟୋକା

    ସଭିଙ୍କୁ କଲାଣି‌ ବାଇ।

ପ୍ରଭୁ ହଳଧର ବଳିଆ ଠାକୁର

    ନୀଳ ଗାମୁଛାରେ ପ୍ରିୟ,

ହଳଦିଆ ବର୍ଣ୍ଣ ଗାମୁଛା ପିନ୍ଧୁଛି

    ମୋ ଓଡ଼ିଆ କଳା ଦିଅଁ।

ଯେମିତି ଉତ୍କଳ ମାଟିର ଇଜ୍ଜତ 

   ସାହସୀ ଓଡ଼ିଆ ପୁଅ,

ସେମିତି ଓଡ଼ିଆ ପୁଅର ଇଜ୍ଜତ 

   ଗାମୁଛା ଖଣ୍ଡିଏ କୁହ।

ବେଶ ଆଭୁଷଣ ମଣିଷକୁ ଚିହ୍ନ

   ବ୍ୟବହାର ପରିଚୟ,

ଆହାର ପୋଷାକ ଯାହା ହେଉ ଭିନ୍ନ

   ଆମେ ଭାଇ ଭାରତୀୟ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy