ଲୌହ ଦାନବର ରକ୍ତ ଭୋଜି
ଲୌହ ଦାନବର ରକ୍ତ ଭୋଜି
ଫୁତକାର ମାରି ଲୌହର ଦାନବ
ଛାଡି ଗରଜନ ରଡି
ପ୍ରଖର ବେଗରେ ମାଛି ଅନ୍ଧକାରେ
ଆସିଲା ଦଉଡି ମାଡି ।
ଅଶୁଭ ବେଳାରେ ବାହାନଗା ଠାରେ
ଘଟିଗଲା ଦୁର୍ଘଟଣା
ବଡ ମର୍ମନ୍ତୁଦ ଛାତିଥରା ଦୃଶ୍ଯ
ନ ହେବ କରି ବର୍ଣ୍ଣନା ।
କରମଣ୍ଡଳର ଏକାଧିକ ବଗି
ହୋଇଲା ଲାଇନଚ୍ଯୁତ
ଯାତ୍ରୀ ଶହଶହ ହୋଇଲେ କ୍ଷତାକ୍ତ
ହରାଇଲେ ପାଦ ହସ୍ତ ।
ମୃତାହତ ହେଲେ ଯାତ୍ରୀ ବି ଅନେକ
ଛୁଟିଥିଲା ରକ୍ତ ଧାର
ଫାଟି ପଡିଥିଲା ଚଉଦିଗ ଖାଲି
କରୁଣ ଆର୍ତ୍ତ ଚିତ୍କାର ।
ଅତି ଭୟଙ୍କର ରେଳ ଦୁର୍ଘଟଣା
ସମ୍ବାଦ ବଡ ଦୁଃଖଦ
ଓଡିଶା କାହିଁକି ସମଗ୍ର ଭାରତ
ଲୋକେ ହୋଇଗଲେ ସ୍ତବ୍ଧ ।
ଚାଲିଗଲା ବହୁ ଅମୂଲ୍ଯ ଜୀବନ
ଆସିବନି ଆଉ ଫେରି
ପାରିବେନି କେହି କ୍ଷତାକ୍ତ ପୀଡିତ
ଜୀବନେ ଦୁଃଖକୁ ଭୁଲି ।
ହରାଇଛି କିଏ ଆପଣାର ଅତି
ପୁତ୍ର ଏକୋଇର ବଳା
ମାତା ପିତା ଭାଇ ବନ୍ଧୁ ପ୍ରିୟଜନ
ଗଲା ଯିଏ ନ ଫେରିଲା ।
ଲୌହ ଦାନବର ଭୀଷଣ ତାଣ୍ଡବ
ଭୟାନକ ରକ୍ତ ଭୋଜି
ଜାଳିପୋଡି ଦେଲା ସୁଖର ସଂସାର
ଗଲେ ବହୁଲୋକ ହଜି ।
ରକ୍ତଦାନ ପାଇଁ ଦେଖାଇ ଆଗ୍ରହ
ଅଞ୍ଚଳର ଅଧିବାସୀ
ଅନେକ ସଂଖ୍ଯାରେ ହେଲେ ଆଗଭର
ଜମା ହେଲେ ସ୍ବତଃ ଆସି ।
ଉଦ୍ଧାରର କାର୍ଯ୍ଯ ହେଉଛି ତ୍ବରିତ
ଅହରହ ଦିନରାତି
ଘଟଣାସ୍ଥଳର ପରିଦର୍ଶନରେ
ଆସିଲେ ପ୍ରଧାନମନ୍ତ୍ରୀ ।
ଭେଟି ଆହତଙ୍କୁ ଚିକିତ୍ସାଳୟରେ
ଦେଇଗଲେ ଆଶ୍ବାସନା
ଆଶୁ ଆରୋଗ୍ଯ କରିଲେ କାମନା
ସାହାଯ୍ଯ କଲେ ଘୋଷଣା ।
ମୃତଯାତ୍ରୀ ଆତ୍ମା ପାଉ ସଦଗତି
କରୁଛୁ ସର୍ବେ ପ୍ରାର୍ଥନା
ଆରୋଗ୍ଯ ହୁଅନ୍ତୁ ସକଳ ପୀଡିତ
ନ ପାନ୍ତୁ କଷ୍ଟ ଯନ୍ତ୍ରଣା ।
