STORYMIRROR

Dharitri Das

Tragedy

4  

Dharitri Das

Tragedy

କେଡ଼େ ଅଘଟଣ

କେଡ଼େ ଅଘଟଣ

1 min
401


ଜଗତର ନାଥ  ତୁମେ ଜଗନ୍ନାଥ 

   ତୁମେ ଥାଉ ଥାଉ ଦେଖ

କେଡେ ଅଘଟଣ ଘଟିଗଲା ଆଜି

   ଥରୁଟିଏ ଆସି ପରଖ।

ଶହ ଶହ ମଡା ଗାଡି ଅକାଳରେ

   ଚାଲିଗଲେ ସ୍ୱର୍ଗପୁର

ଏକା ସ୍ଥାନେ ଏକ କାଳେ ଯିବା ପାଇଁ

   ଥିଲା କି ତୁମ ବିଚାର।

ପୁତ୍ରହୀନ କନ୍ୟା ହୀନ ସ୍ଵାମୀହୀନ

   ହୋଇ କାନ୍ଦେ ନାରୀ ଆଜି

କେଉଁ ଅପରାଧ  ପାଇଁ ଦଣ୍ଡ ଦେଲ

   କହିବ କି ଥରେ ହେଜି।

କିପରି ସହିଲ     କୁହ ମହାପ୍ରଭୁ

     ନିଷ୍ଠୁର ନିର୍ମମ ହୋଇ

ହୃଦୟ ବିଦାରି  ହୋଇଯାଏ ଦେଖି

     ଛାତିଟା ଥରି ଉଠଇ।

ସବୁ ଜାଣି ଶୁଣି    ରହିବାକୁ ତୁନି

    ପଣ କରିଛ କି ତୁମେ

କି ଯଶ ଲଭିବ   ଓଡ଼ିଶା ମାଟିରେ

    ବସିଥାଇ ପୁରୀ ଧାମେ।

ଥରୁଟିଏ ଆସି    ଦେଖିଯାଅ ପ୍ରଭୁ

    ସ୍ୱଚକ୍ଷୁରେ ରକ୍ତ ନଦୀ

ରାତି ପାହିଲେ ତ ଆସିବ ତୁମେ ହେ

    ସ୍ନାନ ପାଇଁ ସ୍ନାନ ବେଦୀ।

ଇଚ୍ଛା କି ହୋଇଲା ଲୁହର ନଦୀରେ

    କରିବାକୁ ତୁମେ ସ୍ନାନ

ସେଥିପାଇଁ ନେଲ ଏକ ସମୟରେ 

   ଏତେ ଲୋକଙ୍କ ଜୀବନ।

ବୁଝି ପାରୁନାହିଁ   ମାୟାଧର ତୁମ

    ମାୟାକୁ ଏହି ସଂସାର

ଆହତ ମାନଙ୍କ    କଥାକୁ ଟିକିଏ

     ପ୍ରଭୁ କର ହେ ବିଚାର।





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy