ମନ ମନ୍ଦିର ମଣିଷ
ମନ ମନ୍ଦିର ମଣିଷ
ହେ ମୋର ମନର ମୀତ
ହେ ମୋର ପ୍ରୀୟ ସଂଗୀତ
ହେ ମୋର ସାଥୀ ପ୍ରାଣନାଥ ।
ତୁମେ ମୋତେ ବିଭୋର କର
କ୍ଷଣେ ଅନୁକ୍ଷଣେ
ତୁମେ ମୋତେ ବିଧୂର କର
ନିତି ନିରୋଳା ମଣେ ।
ତୁମକୁ ଅନୁଭବେ ବନ୍ଦନେ ସ୍ପନ୍ଦନେ
ଆଶାର ଆକାଶେ
ତୁମକୁ ସ୍ନେହକରେ ଶୟନେ ସପନେ
ବିଶ୍ୱାସ ପ୍ରକାଶେ ।
ପ୍ରତିଟି ଅସମାହିତ ମୋଡ଼ ବାଙ୍କରେ
ଅମଡ଼ା ବାଟଘାଟରେ
କାକକୃଷ୍ଣ କବରୀର ତୃର୍ଣ୍ଣା ବାସ୍ନା ନେଇ
ସପନ ବିପଣୀ ତଟରେ ।
ଭେଟେ ତୁମକୁ ନିତି ରାତିରେ ଶେଯରେ
ଦେହ ବଲ୍ଲରୀ କବରୀ
ଛୁଏଁ ତୁମକୁ ନିତି ସକାଳୁ ସଞ୍ଜରେ
ଚନ୍ଦନ ଗନ୍ଧ ଆବୋରୀ ।
ଲାଜେଇ ଯାଏ ଆଖି ନଇଁଯାଏ ଆସ୍ତେ
ପାହାନ୍ତି ସ୍ଵପ୍ନ ଝୁଲଣାରେ
ତୁମ ବାହୁ ମେଖଳାରେ ଝାଳୁଆ ଗନ୍ଧରେ
ତତଲା ଖର ନିଃଶ୍ଵାସରେ ।
ତୁମେ ଦୂରେ ଚାକିରୀରେ କେବଳ ଦିଶ
ହୃଦୟ ବଲ୍ଲଭ ପାଶ
ତୁମ ଶୁଭ ମନାସେ ଅହର୍ନିଷ ପାଳେ ହବିଷ
ମନ ମନ୍ଦିର ମଣିଷ ।
ମନ ବୀଣାରେ ତୁମେ ସ୍ଵର ଝଙ୍କାର ସମ୍ଭାର
ସାଜ ଶୃଙ୍ଗାର ରସ
ତୁମକୁ ଭାବିବା କଳ୍ମିବା ଇଚ୍ଛିବା ରସିବା
ଚୁପି ଚୁପି ଲାଜ ହସ ।
ହଇରାଣ ହରକତ ହଉଥିବ ଖାଇବାରେ ଶୋଇବାରେ ଏକାନ୍ତରେ
ମୋତେ ବି ରୁଚେନି ଏଠାରେ ତୁମ ବିନା
ଋଚିହୀନ ସରାଗରେ ।
ଜିଉଁଛି କେବଳ ଘରେ ଶରୀର ଧର୍ମକୁ ଧରି
କର୍ମ ଜଞ୍ଜାଳ ବିଷମ
ତୁମଠାରେ ବନ୍ଧା ପଡିଛି ପ୍ରାଣସତ୍ତା ମୋର
ପରମାତ୍ମା ସ୍ୱରୂପ ସୁଷମ ।
ଏ ପ୍ରାଣ ପାଦଦେ ଋତୁ ପତ୍ରଝଡ଼ା କଷଣ
ସପ୍ତାହାନ୍ତେ ଆସନ୍ତ ଧାଇଁ
ମିଳନ ସଂଗୀତ ସାଥେ କେଳି ସହବାସ
ନବ ପଲ୍ଲବରେ ହସନ୍ତି ମୁହିଁ ।
