ତୁମେ ଥାଉ ଥାଉ ମହାବାହୁ
ତୁମେ ଥାଉ ଥାଉ ମହାବାହୁ
ବାପା ଖୋଜୁଅଛି ପୁଅକୁ ବାହୁନି
ଗଦା ଗଦା ଶବ ତଳେ
ସିନ୍ଦୁର ସିନ୍ଥିରୁ ପୋଛି ସୁହାଗିନୀ
ତତଲା ଲୁହରେ ଜଳେ ।
ତୁମେ ଥାଉ ଥାଉ କୁହ ମହାବାହୁ
ଏମିତି କାହିଁକି ହେଲା
ଲେଉଟିଲା ରେଳ ଅକାଳରେ କାଳ
କେତେଯେ ପରାଣ ନେଲା
ବାହାନଗା ହେଲା ଶେଷ ଠିକଣା ତ
କାଳର କରାଳ କୋଳେ ।
ପୋଷିଲା ପୁଅକୁ ହରାଇ କେତେଯେ
ବେସାହାରା ହୋଇଗଲେ
ଆଖି ପିଛୁଳାକେ ଛେଉଣ୍ଡ ହୋଇଲେ
କଅଁଳ ନିରିହ ପିଲେ
ଚିହିରି ଚିହିରି କାନ୍ଦେ କୁନି ପୁଅ
କିଏ ବସାଇବ କୋଳେ ।
ହଜାରେ ସପନ ଆଖି ପିଛୁଳାକେ
ସପନେ ମିଳେଇଗଲା
ରକତର ଶୁଅ ହସ ଖୁସି ସବୁ
ନିମିଷକେ ଧୋଇ ନେଲା
କେତେ ପରିବାର ହେଲା ଛାରଖାର
ଦୁଃଖ ଦରିଆର କୂଳେ ।
କିଏ ଆସିଥିଲା କେତେ ଆଶା ନେଇ
ତୁମକୁ ଦେଖିବ ବୋଲି
ସ୍ନାହାନ ବେଦୀରେ ଚତୁର୍ଦ୍ଧା ମୂରତୀ
ଦେଖି ଧନ୍ୟ ହେବ ବୋଲି
ଆଶା ରହିଗଲା ସିଏ ଶୋଇଗଲା
ଦାଉଦାଉ ଯୁଇ ଜଳେ ।
ତୁମ ପାଦତଳେ ଏତିକି ମିନତି
ହେ ପ୍ରଭୁ ଜଗତ ସାଇଁ
ଦିଅ ହେ ଶକତି ଏ ଘୋର ବିପତ୍ତି
ଦୁଃଖ କୁ ସହିବା ପାଇଁ
ଉଜୁଡା ଘରକୁ ଦିଅ ହେ ସଜାଡି
ତୁମରି ଆଶିଷ ବଳେ । ।