ରାଜକୁମାର
ରାଜକୁମାର
ଦୁନିଆ ଆଖିରେ ଗରୀବ ପିଲା ମୁଁ
ମାଆ ଡାକେ ମୋତେ ରାଜକୁମାର,
ସୁନା ରୂପା ମୋତି ଲୋଡା ନାହିଁ ଆମ
ମାଆର ସେନେହ ରତ୍ନ ଭଣ୍ଡାର ।
ମାଆ ଚିରାକାନି ପିତା ଗାମୁଛାକୁ
ତୂଳୀ ତଳ୍ପ ଶେଜ ହେବନି ସମ,
ରାଜଭୋଗ ସୁଖ ନିଉନ ହୋଇବ
ଆନନ୍ଦ ଯେସନେ ବୈକୁଣ୍ଠ ଧାମ ।
ପିତାମାତା ମୋର ରାଜା ଆଉ ରାଣୀ
ଭଙ୍ଗା କୁଡିଆ ମୋ ରାଜନଅର,
ରାଜବିଦ୍ୟା ଶିକ୍ଷା କିବା ପ୍ରୟୋଜନ
ମାଆ ଶିକ୍ଷା ଦିଏ ସୁସଂସ୍କାର ।
ବାପା ମୂଲ ଲାଗି ଯାହା ଆଣିଥାନ୍ତି
ମାଆ ରାନ୍ଧିଦିଏ ଯତନ କରି,
ବଡ ସୁଆଦିଆ ତା ହାତ ପରଷା
ଦେଇଥାଏ ବୋଧେ ଅମୃତ ଭରି ।
ବିଦ୍ୟାଳୟ ଯାଇ ପାଠ ମୁଁ ପଢିବି
ଆଦରେ କହେ ମା' ପାଖରେ ବସି,
ସଂସ୍କାରିତ ସାଥେ ଶିକ୍ଷିତଟେ ହେଲେ
ସେମାନେ ନିଶ୍ଚୟ ହୋଇବେ ଖୁସି ।
