ପୂର୍ଣ୍ଣଚନ୍ଦ୍ର
ପୂର୍ଣ୍ଣଚନ୍ଦ୍ର
ଖୁବ୍ ସୁନ୍ଦର ଗୋଲଗାଲ
ଶରଦ ପୁନେଇଁ ଜହ୍ନ,
ରୂପେଲି ତା ଜୋଛନାରେ
ମିଠା ମିଠା ଜଳେ ନିଆଁ
ଛନଛନ ମନେ ଭରେ
କାଉଁରୀ କିମିଆ ।
ଜହ୍ନି ଫୁଲ ଉଠେ ହସି,
କଇଁଫୁଲ ଫୁଟେ ସରେ
ପ୍ରିୟ ପ୍ରିୟା ଓଷ୍ଠଧାରେ,
ନିଭୃତ ହୃଦୟ କନ୍ଦେ ,ଗାଁ ଦାଣ୍ଡେ
ବୃନ୍ଦାବତୀ ଚଉଁରା ମୂଳରେ ।
ସମୁଦ୍ରରେ ଖେଳେ ଢେଉ
କଣ୍ଠୁ ଝରେ ବଉଳର ବାସ୍ନା,
ନୃତ୍ୟ ଗୀତ ନାରଙ୍ଗୀ ପୂଚିରେ
ଦଶଦିଶ ଉତ୍ସବ ମୁଖର
କୁମାର ପ୍ରକୃତି ପ୍ରାଣ
ପୂର୍ଣ୍ଣ ଆନମନା ।
ଜହ୍ନ ର ଶୀତଳ ସ୍ପର୍ଶେ
ଜଡପିଣ୍ଡେ ଜାଗେ ଶିହରଣ,
ଚହଟେ ବାସ ଚନ୍ଦନ
କାୟାଛାୟା ବିମ୍ବ ପ୍ରତିବିମ୍ବ,
ମନତଳେ ଉଙ୍କି ମାରେ ଅସରନ୍ତି
ଉନ୍ମାଦ ଓ ସ୍ୱପ୍ନ ।
ଜୀବନର ଛାୟାପଥେ
ଜହ୍ନ କେବେ ମାୟା ମରିଚିକା,
ସହଜିଆ ମଜାଦାର ଲାଗୁଥିବା
ଏକ ଭୁଲ ରାସ୍ତା,
କର୍ମ ହୁଏ ଓଲମ ବିଲୋମ
ବିଷ ଲାଗେ ମିଠା ମିଠା
ପାଣିଚିଆ କଟୁ ତିକ୍ତ ଅମୃତ ବି
ଭାରି ପିତା ପିତା ।
ଜୀବନ ପ୍ରେମର ପଥ
ନିଆରା ଆଲୋକ ଗତି ସଳଖ ସୁଗୁଣ,
ସେବା ଭକ୍ତି ତ୍ୟାଗ ସମର୍ପଣେ
କେବେ କେବେ ଜହ୍ନ ଦିଶେ
ଭାରି ତୋଫା ସମୁଜ୍ଜ୍ୱଳ,
ପ୍ରସ୍ଫୁଟଇ ଅନାହତ ସୁମନରେ
ପୂର୍ଣ୍ଣଚନ୍ଦ୍ର, କୁମର ଶ୍ରୀ,
ନିଷ୍ଠା ପରାକାଷ୍ଠା ।