କାଦମ୍ବିନୀ କଦମ୍ବ
କାଦମ୍ବିନୀ କଦମ୍ବ
ମହୀରେ ବିଜେ ବରଷା କାଳ
ଆକାଶେ ମେଘ ମାଳ l
ଧରଣୀ ମୁଖେ ଅମ୍ବୁଦେ ସୁଖେ
ବରଷି ଯାନ୍ତି ଜଳ ll
ଅଶନୀ ସ୍ୱନ କମ୍ପାଇ ଘନ
ବଜରେ କମ୍ପେ ମହୀ l
ଏକାଳେ ଗିରି କାନନ ଶୋଭା
ଉପମା ଅଛି କାହିଁ ll
କଦମ୍ବ ବନ୍ଧୁ ନିନାଦ ଶୁଣି
କଦମ୍ବ କାଦମ୍ବିନୀ l
ମଣ୍ଡିଲେ ମହୀ ଚଞ୍ଚଳ ହୋଇ
ବନବିଟପୀ ଶ୍ରେଣୀ ll
ରୂପ ତାହାର କି ମନୋହର
ହିଙ୍ଗୁଳେ ସ୍ୱଚ୍ଚ ତନୁ l
ଦେଖିଲେ ଥରେ ନାହିଁ ପଶୋରେ
ଦେଖଣାହାରୀ ମନୁ ll
ଧନ୍ୟରେ ଫୁଲ ଅମୂଲ ମୂଲ
ଦି ଦିନ ପାଇଁ ଫୁଟୁ l
ତୁଟାଇ ଦମ୍ଭ ଆରେ କଦମ୍ବ
ଧରଣୀପରେ ଲୋଟୁ ll
କ୍ଷଣ ଭଙ୍ଗୁର ଭବ ସଂସାର
ଦି ଦିନ ଶୋଭା ଜାଣି l
କଦମ୍ବ ବନୁ କଦମ୍ବ ତୋଳେ
ଚତୁରୀ ରାଧାରାଣୀ l
କଦମ୍ବ ବନୁ ମୂରଲୀ ସ୍ୱନ
ମଧୁରେ ଶୁଭିଲାଣି l
ନିପ ମୁଳିଆ ବାଙ୍କ ଚୁଳିଆ
ଉଭା ମୂରଲୀପାଣି ll
ଯମୁନା ପାଣି ବହେ ଉଜାଣି
ଧାରା ଶ୍ରାବଣ ବାରି l
ଛନ୍ଦା ଚରଣ ଗୋପୀ ରମଣ
ପ୍ରାବୃଟ ରାସେ ହରି ll
