ପହିଲି ବର୍ଷା
ପହିଲି ବର୍ଷା
ପ୍ରବହେ ମୌସୁମୀ ସଧୀରେ ସରମି
ମୁହଁରେ ଢାଙ୍କି ବାଦଲ
ଭିଜାଏ ମାଟିକୁ ପହିଲି ବରଷା
ଲାଜେ ହୋଇ ଜଡସଡ ।
ବାସେ ଭୁରୁଭୁରୁ ମାଟିର ସୁଗନ୍ଧ
ପ୍ରାଣ ହୁଏ ସୁଶୀତଳ
ମତୁଆଲା କରେ ନୀଳ ସମ୍ମୋହନ
ଜୀବନ ସ୍ବପ୍ନ ବିଭୋର ।
କଅଁଳେ କୋମଳ ଶ୍ଯାମ ଦୁର୍ବାଦଳ
ଭରପୂର ସବୁଜିମା
ଜାଗି ଉଠେ ପ୍ରାଣେ ପୁଲକ ଉତ୍ସାହ
ସୃଜନର ସଙ୍କଳ୍ପନା ।
ହରଷ ଉଲ୍ଲାସେ ନାଚି ଉଠେ ମନ
ପହିଲି ବର୍ଷା ପରଶେ
ଶୋଭେ ସପ୍ତରଙ୍ଗ ପୁଚ୍ଛ ଚନ୍ଦ୍ରିକାରେ
ବନରେ ମୟୂର ନାଚେ ।
ପହିଲି ବରଷା ଛନ୍ଦ ଅବପାତ
ରସଝର ସୁମଧୁର
ଉତ୍ସବ ମୁଖର ରଜ ପାରବଣେ
ମନ ହୁଏ ମସଗୁଲ ।
ଖାଇ ପୋଡପିଠା ପାଳନ୍ତି ଆନନ୍ଦେ
ରଜପର୍ବ ଅବସର
ପହିଲି ବରଷା ସ୍ପର୍ଶ ସୁଧାବୋଳା
ସୁମଙ୍ଗଳ ଶୁଭଙ୍କର ।