STORYMIRROR

Saroj Satpathy

Comedy

3  

Saroj Satpathy

Comedy

ପୁନଶ୍ଚ ବେତାଳ

ପୁନଶ୍ଚ ବେତାଳ

1 min
140

****ପୁନଶ୍ଚ ବେତାଳ****

~~~~~~~~~~~~

ବେତାଳ କହିଲା....ହେ ରାଜନ

ଏକବିଂଶ ଶତାବ୍ଦୀରେ

ବୃଥାରେ କାହିଁକି ମୋତେ 

କରୁ ଅଛ ସ୍କନ୍ଧ ଆରୋହଣ

ପଥକ୍ଲାନ୍ତି ଦୂର ପାଇଁ 

ନାହିଁ ଆଉ କାହାଣୀ ମୋହର

ପଚାରୁଛି ଖାଲି ପ୍ରଶ୍ନ

ଉତ୍ତରରେ ପଥ ଶ୍ରମ ନିଶ୍ଚେ ହେବ ଦୁର


ହେ.....ରାଜନ

ତୁମର ଏ ନୂଆ ଦୁନିଆଁରେ

କାହାକୁ କହିବ ତୁମେ "ଚୋର"

"ଭୋକିଲା" କିଏ ସେ ଏଠି

"ଅସହାୟ" ଅବା କେଉଁ ନର

ଭାବି ଚିନ୍ତି ମୋ ପ୍ରଶ୍ନର 

ଦିଅ ଆଜି ସଠିକ ଉତ୍ତର

ଜାଣି ରହିଲେ ମଉନ

ସ୍କନ୍ଧଚ୍ୟୁତ ହେବ ତୁମ ଶିର


ପ୍ରଶ୍ନ ଶୁଣି ବେତାଳର

ରାଜା ଟିକେ ପଡିଲେ ଚମକି

ଏଭଳି ସରଳ ପ୍ରଶ୍ନ

ପ୍ରେତ ଆଜି ପଚାରେ କାହିଁକି ?

ନିଶ୍ଚେ କିଛି ଗୂଢ ତତ୍ତ୍ବ

ବେତାଳର ମନ ମଧ୍ୟେ ଖେଳେ

କିଭଳି ଦେବି ଉତ୍ତର

ମନେ ମନେ ରାଜା ଖାଲି ଭାଳେ


ଆଜିର ଯୁଗକୁ ନେଇ 

ଉତ୍ତରରେ କହିଲେ ନୃପତି

"ଚୋର" ନୁହେଁ କେବେ ସିଏ 

ପେଟ ପାଇଁ ହରିଲେ ସମ୍ପତ୍ତି

ଦେଶର ସମ୍ପତ୍ତି ଲୁଟି

ଯିଏ କରେ ବିଦେଶେ ବେପାର

ଲାଗିଲେ ଆରୋପ ଯା'ର

ଡର ଭୟ ନାହିଁ ତିଳେ ମାତ୍ର

ଏ ଯୁଗରେ ସେହି ଶ୍ରେଷ୍ଠ ଚୋର

ଦେଶ ପଛେ ଯାଉ ଭାସି

କଳାଧନ ହେଉ ଅକ୍ତିଆର


"ଭୋକିଲା" ନୁହଁଇ ସିଏ

ଅନ୍ନ ପାଇଁ କରେ ଯେ ଚିତ୍କାର

ନିଜ ଭାଗ ଖାଇ ଯିଏ

ଅନ୍ୟ ଭାଗେ ପକାଏ ନଜର

ଜମା କରେ ଅବୈଧରେ

କ୍ଷୁଧା ଶାନ୍ତ ହୁଏ ନାହିଁ ତାର

ଭୋକିଲା ତ ସେହି ଏକା

ଯେତେ ଖାଇଲେ ବି ତାର

ବଢୁ ଥାଏ ଭୋକ ଲଗାତର


ଆହେ ପ୍ରେତ ଶ୍ରେଷ୍ଠ କାହିଁ

ପଚାରିଲ "ଅସହାୟ" କଥା

ଗଣତନ୍ତ୍ରେ ନାହିଁ ସ୍ଥାନ

ସତ୍ୟବାଦୀ ନ୍ୟାୟପ୍ରିୟ ନେତା

ଭ୍ରଷ୍ଟାଚାରୀ କବଳରେ

ନିତି ମରି ବଞ୍ଚୁ ଥାଏ ଯିଏ

ଦେଶର ଜନତା ସିଏ

ତା'ଠୁ ଆଉ "ଅସହାୟ" କିଏ


ଉତ୍ତର ଶୁଣି ବେତାଳ 

ମନେ ମନେ ହୋଇଲା ଚିନ୍ତିତ

ସଂଜ୍ଞା ବି ଯାଏ ବଦଳି

ହୋଇଗଲେ ଶତାବ୍ବୀର ଅନ୍ତ

ସ୍କନ୍ଧୁ ଓହ୍ଲାଇ ବେତାଳ

କହିଲା ହେ.....ରାଜା

ଫେରିଚାଲ ସେ ଯୁଗକୁ

ଯେଉଁଠାରେ ସୁଖେ ତୁମେ

ପାଳୁଥିଲ ପ୍ରଜା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy