ପ୍ରେମର ସନେଟ୍
ପ୍ରେମର ସନେଟ୍
ମୁଁ ତୁମକୁ ଭଲ ପାଏ,ତୁମେ ମୋତେ ଖୁବ ଭଲ ଲାଗ
ଶବ୍ଦାବଳୀ ସବୁ ଏବେ ପ୍ରକାଶ୍ୟରେ କହିବାକୁ ମନା
କହି କି ପାରିବ ମୋତେ କେଜାଣି କେମିତି ସତେ
ସଂକୀର୍ଣ୍ଣ, ସୀମିତ,ଘୃଣ୍ୟ ହେଇଗଲା ଆମର ଭାବନା ।
ଯଦି କେବେ ଅନୁରାଗେ କହିବାକୁ ଏଇ ମନେ ଜାଗେ
ଅଢେଇ ଅକ୍ଷର ଭାଷା କେହି ଜଣେ ଅନ୍ତରଙ୍ଗ ଭାବି
ପତ୍ନୀ,ପ୍ରେୟସୀ ଅଥବା ଭାବିପତି, ଭାବିପତ୍ନୀ
ବ୍ୟତିରକେ ଖୋଜିବାକୁ ଏ ମଣିଷ ହେଉଥାଏ ଭାବି ।
ସଖା, ବନ୍ଧୁ, ସହୋଦର, ଭାଇ,ଭଗ୍ନୀ,ପିତୃମାତୃ ତୁଲ୍ୟ
ଅଗଣିତ ମଣିଷଙ୍କୁ ଅନ୍ତରରେ ଭଲପାଏ ବୋଲି
ସମ୍ପର୍କ ନ ଯାଉ ତୁଟି ହେଉଯାଉ ପଛେ କଣ୍ଠରୋଧ
ସମ୍ମୁଖରେ ପାରିବିନି କହି ତୁମକୁ ମୁଁ ଭଲ ପାଏ ବୋଲି ।
ମୁଁ ତୁମକୁ ଭଲ ପାଏ ସଂଜ୍ଞା ଆଜି କାହିଁ ହୁଏ ସଙ୍କୁଚିତ
କା ପାଇଁ ଅଶ୍ଳୀଳ ପୁଣି କାହା ପାଇଁ ଭାଷା ଅବାଞ୍ଛିତ ।
