ଅବୁଝା ହୁଅନା ପ୍ରିୟା
ଅବୁଝା ହୁଅନା ପ୍ରିୟା
ଆଗୋ ମୋର ପ୍ରିୟତମା
ଅବୁଝା ହୁଅନା
ବାହାରେ ନାଚୁଛି ପରା
ଭୂତାଣୁ କରୋଣା ।
ଗ୍ରୀଷ୍ମର ଉତ୍ତପେ ମୁଖ
ଯିବ ଲୋ ଝାଉଁଳି
ଛୋଟ ପିଲା ଭଳି ତୁହି
ନିତି କରୁ ଅଳି ।
ଯେଉଁ ବଦନରୁ ନିତି
ପଡୁ ଥାଏ ମଧୁ
ସହିକି ପାରିବି ମୋର
ସାଧବାଣୀ ବଧୂ ?
ଜାଣେ ପ୍ରୀତି କୃଷ୍ଣ ଚୁଡ଼ା
କରୁଛି ଇଶାରା
ପଥକ୍ଲାନ୍ତି ଦୂର ହେବ
ଲିଭି ଯିବ ପୀଡ଼ା ।
ଗ୍ରୀଷ୍ମର ଉତ୍ତାପ ଭୂଲି
ଯିବି ଲୋ ସୁନ୍ଦରୀ
ତୋହରି ପରଶ ପରା
ଶିତଳତା ଖିରି ।
ତୋ ସ୍ନେହରେ ଏତେ ଶକ୍ତି
ଦୁଃଖ ଯାଏ ଚାଲି
ପ୍ରେମ ତୋ ଚାନ୍ଦିନୀ ରାତି
ମଧୁର ପିଆଲି ।
ବାହାରେ କରୋନା ଦେଖ
ନୃତ୍ୟ ରତେ ବ୍ୟସ୍ତ
ଅସୁରକ୍ଷିତ ଜନଙ୍କର
ତନୁ ମନଧ୍ୱସ୍ତ ।
ପରିସ୍ଥିତି ଘୋଟିଲାଣି
ତାମସା ଅନ୍ଧାର
ଆକର୍ଣ୍ଣ ହେଉଛି ଶୁଣ
ପୋଲିସ ପ୍ରହାର ।
ସଜାଗ ସତର୍କ ଧରି
ଚଳୁ ଥିବ ଯେବେ
କରୋନା ବ୍ୟାଧିରୁ ମୁକ୍ତ
ନିଶ୍ଚିତ ଲଭିବେ ।
ଜୀବନ ଜୀବିତ ଯଦି
ଅଛି ସବୁ ସୁଖ
ମୋ କଥାକୁ ମାନି ଚଳ
ହୁଅନା ବିମୁଖ ।
ତୁହି ମୋ କନକ ମଣି
ମୋ ଭାଗ୍ୟର ଜ୍ୟୋତି
କରୋନାକୁ ଦଣ୍ଡବତ
ନଆସୁ ତୋ କତି ।
ଗ୍ରୀଷ୍ମ ପ୍ରବାହରେ ତନୁ
ଡହକ ବିକଳ
ବାଢିଦେ ଲୋ ଗୋରୀ ମୁଠେ
ଉଷୁମ ପଖାଳ ।
ଅମାନିଆ ହୁଅ ନାହି
ଧରିବ କରୋନା
କାନିକୁ ସମ୍ଭଳି ରଖ
ଆଗୋ ସୁନୟନା ।
ଏସ୍ ଏମ୍ ବଶ୍ ପାର୍କ
ନିଶ୍ଚେ ବୁଲି ଯିବା
କରୋନାଟା ଲିଭି ଯାଏ
ନିଡର ରହିବା ।