ପୁଲୱାମା ଶହୀଦଙ୍କୁ ଶହେ ସଲାମ
ପୁଲୱାମା ଶହୀଦଙ୍କୁ ଶହେ ସଲାମ
ଅଶାନ୍ତ ଭୂସ୍ୱର୍ଗ ଜମ୍ମୁ ଓ କାଶ୍ମୀର
ଚଳାଇଛି ଶତ୍ରୁ ଛଦମ ଯୁଦ୍ଧ
ଖଟାଇ ତା ବଳ ଦୁର୍ବୁଦ୍ଧି କୌଶଳ
ଘଟାଉଛି ହୀନ ବର୍ବର କାଣ୍ଡ ।
ରହୁଛନ୍ତି ଲୁଚି ଜନତା ଗହଣେ
ବଇରୀ ପିଶାଚ ସନ୍ତ୍ରାସବାଦୀ
ସୁଯୋଗକୁ ଉଣ୍ଡି ଅସ୍ତ୍ର ବିସ୍ଫୋଟକେ
ନିରୀହ ଜୀବନ ଚାଲନ୍ତି ବଧି ।
ରହିଛନ୍ତି ଜଗି ସୀମାକୁ ଆମର
ଦେଶପ୍ରେମୀ ବୀର ଭାରତ ସୈନ୍ଯ
ଲଗାଇଣ ଘାତ ଜୀବନକୁ ତାଙ୍କ
କରନ୍ତି ବର୍ବର ସେ ଆକ୍ରମଣ ।
ଗହଳୀ ମଧ୍ଯରୁ ଫୋପାଡନ୍ତି ଟେକା
ବରଷନ୍ତି ଶିଳା ଗୋଳା ବାରୁଦ
ସ୍ଥିତି ପ୍ରତିକୂଳ ଭାରତ ସେନାନୀ
ଦିଅନ୍ତି ସୁରକ୍ଷା ବରି ବିପଦ ।
ବିଗତ ଦଶକେ ହେଲା ସଂଘଟିତ
ସନ୍ତ୍ରାସ ଘଟଣା ବହୁ ଅଧିକ
ପଠାଣକୋଟର ଭେଦି କବଚକୁ
ଗୁଳି ଚୋଟେ ମଲେ ବହୁ ସୈନିକ ।
ଘଟିଲା ସେମିତି ପାମ୍ପୋର ଉରିରେ
ଶହୀଦ ହୋଇଲେ ବୀର ଜବାନ
କମାଣ୍ଡୋ ତାଲିମ କେନ୍ଦ୍ର ଥରିଗଲା
ଲିଥାପୋରେ ହେଲା ଗୁଳି ବର୍ଷଣ ।
ଜମ୍ମୁ ଶ୍ରୀନଗର ରାଜପଥ ମାର୍ଗେ
ଯାଉଥିଲେ ସେନା ବାହନ ଧରି
ହଠାତ ପ୍ରବେଶି ଏକ ଆତ୍ମଘାତୀ
କରିଲା ବିସ୍ଫୋଟ ବୋମା ଆବୋରି ।
ଚାଳିଶ ଜବାନ ହୋଇଲେ ଶହୀଦ
ଦୁର୍ଘଟଣା ଥିଲା ବର୍ବରୋଚିତ
ଜବାନଙ୍କ ଉଷ୍ମ ରକତପାତରେ
ସ୍ତମ୍ଭିତ ଭାରତ ଶୋକ ସନ୍ତପ୍ତ ।
ପ୍ରତି ଭାରତୀୟ ଜାଗ୍ରତ ଆଜି
ରଖିବ ଅତୁଟ ତା ସ୍ବାଭିମାନ
ପ୍ଲାଜମା ବୀର ଶହୀଦ ଜବାନ
ଜଣାଉ ତୁମକୁ ଶତ ସଲାମ ।
