ପରକାଳ
ପରକାଳ
ଅଙ୍ଗ ଓ ପ୍ରତ୍ୟଙ୍ଗ ହୁଅଇ ନିଶ୍ଚଳ
ମରଇ ଯେବେ ମଣିଷ
ବନ୍ଦ ହୁଏ ତାର ହୃଦୟ ସ୍ପନ୍ଦନ
ନିଃଶ୍ବାସ ଆଉ ପ୍ରଶ୍ବାସ ।
ଦିଏନି ମସ୍ତିଷ୍କ ଆଦେଶ ନିର୍ଦ୍ଦେଶ
ଶବ ପାଲଟଇ ଦେହ
ବିଲୀନ ହୁଅଇ ପ୍ରାଣ ପଞ୍ଚତତ୍ତ୍ବେ
ଆତ୍ମା ନିଏ ପୁର୍ନଜନ୍ମ ।
ଅନ୍ନମୟ କୋଷ ସ୍ଥୂଳ ଏ ଶରୀର
ପୃଥିବୀର ପିଣ୍ଡ ଅଂଶ
ସମୟାନୁକ୍ରମେ ହୋଇଥାଏ ଧୀରେ
ଗଠିତ ଓ ସୁବିକାଶ ।
ଉନ୍ମେଷେ ମନ୍ମୟ ପ୍ରାଣମୟ କୋଷ
ବିଜ୍ଞାନମୟ ଭାବନା
ହୁଏ ଉପଲବ୍ଧି ସତ୍ଯ ଓ ଆନନ୍ଦ
ଦିବ୍ଯ ସୂକ୍ଷ୍ମ ସଚେତନା ।
ମୃତ୍ୟୁ ଉପରାନ୍ତେ ମିଶେ ପଞ୍ଚତତ୍ତ୍ବେ
ଦେହ ପରମାଣୁ ଅଣୁ
ଉଦ୍ଭବଇ ପୁନଃ ସୂକ୍ଷ୍ମ ମନ ପ୍ରାଣ
ଆତ୍ମା ସ୍ବକର୍ତ୍ତବ୍ଯ ଗୁଣୁ ।
ଶରୀର ପୋଷଣ କ୍ରିୟା ସମ୍ପାଦନ
ଧର୍ମ ଜୀବନଯାପନ
ହୁଏ ଇହକାଳେ ଯୋଗ ସଂଯୋଜନ
ପ୍ରତିକ୍ରିୟା ବିୟୋଗାନ୍ତ ।
ସମ୍ପୁଟେ ବିଘଟେ ମୀମାଂସା ବିହୁନେ
ଆତ୍ମା ହୁଏ ଭୂତପ୍ରେତ
ମିଳେ ପରକାଳେ ଫଳ ପରିଣାମ
ପୁର୍ନଜନ୍ମ ମୁକ୍ତି ମୋକ୍ଷ।
