ପ୍ରିୟତମ
ପ୍ରିୟତମ
ବଉଳ ମାଳମୁଁ ନାଇଁଛି କହ୍ନେଇ,
ତୋ ମନ ତୋଷିବି ବୋଲି ।
ଫୁଲ ରସିଆ ତୁ ବାସରେ ଅଧୀର,
ସଜେଇ ହେଉତୁ ଖାଲି ।
ତୋ ପାଇଁ ଆଣିଛି ସଜ ମଲ୍ଲୀକଢି,
ରାଧା ତମାଳ ବି ତୋଳିଛି ।
ସ୍ବର୍ଣ୍ଣଚମ୍ପା ଫୁଲ ସହିତେ ମାଳତୀ.,
ପଦୁଅଁ କଳିଟେ ଆଣିଛି ।
ଫୁଲ ଦୋଳିଟିଏ ବାନ୍ଧିଛି ଦୁଆରେ,
ଅଗଣାରେ ଫୁଲ ବିଞ୍ଚିଛି ।
ଫୁଲର ତୋରଣ କରିଛି ରେ କାହ୍ନୁ,
ତୋତେ ସ୍ୱାଗତ କରିବି ଭାବିଛି ।
ଗଜରା ଗୁନ୍ଥିଛି ବିଡ଼ିଆ ଭାଙ୍ଗିଛି,
ସର ଲବଣୀ ତୋ ପାଇଁ ରଖିଛି ।
ଘରସାରା ମୋର ଚନ୍ଦନ ପାଣିରେ,
ଟିପି ଟିପି ଚିତା ଆଙ୍କିଛି ।
ଅଗୁରୁ କର୍ପୁର ସାଇତି ରଖିଛି,
ତୋ ଦେହରେ ବୋଳି ଦେବି ।
କସ୍ତୁରୀ ଟିକିଏ ଆଣିଛି କାଳିଆ,
ତୋତେ ଉପହାର ଦେବି ।
ରାଧାର ପାଉଁଜି ପାଇଛିରେ ମୁଁହି,
ତୋତେ ଦେଖାଇବି ନାହିଁ ।
ପାଉଁଜି ଦେଖିଲେ ମୋତେ ଭୁଲିଯିବୁ,
ହେବୁ ଖାଲି ରାଈ ରାଈ ।
