ପିଠି ଆଉଁସେଇ
ପିଠି ଆଉଁସେଇ
କବିତା - ପିଠି ଆଉଁସେଇ
ରଚନା - ପଞ୍ଚାନନ ଜେନା
ତାରିଖ -୦୬-୦୧-୨୦୨୫
++++++++++++++++
ହାଡ଼ଭଙ୍ଗା ଶୀତକୁ
କୁହୁଡିର ବହଳ ଆସ୍ତରଣ
ପାରଦ ତଳକୁ ତଳ ଖସୁଛି
ସତେ ଯେମିତି ବରଫ ଚାଦର ତଳେ
କୋହଲା ଥଣ୍ଡାପାଗର ବିସ୍ଫୋରଣ
ସୂର୍ଯ୍ୟଦେବ କେବେଠୁଁ ଫେରାର୍
ଶୁନଶାନ୍ ଶାନ୍ତ ଦ୍ୱିପ୍ରହର
ଓଜନିଆ ଧୂଆଁଳିଆ ଆକାଶ ପ୍ରକାଶ
ସତେ ଯେମିତି ଗଳି ପଡିବ କି ଅଜଣା ଅଗଣା
ଶୀତରେ ଥୁରୁଥୁରୁ ଜୀବନ ଯୌବନ
ପାଦତଳ ଚାଉଁକିନା ଲାଗିଗଲେ
ହୁଗୁଳା ପୁଙ୍ଗୁଳା ମାଟିରେ
ମାର୍ବଲ ଟାଇଲସ ଲଗା ଘର ଚଟାଣରେ
ସତେ କି ଜୀବନ ଛଟପଟ ହନ୍ତସନ୍ତ ସନ୍ତରଣ
ସକାଳୁ ଉଠୁଉଠୁ ବହଳ ଅନ୍ଧାର
କୁହୁଡି ପଣତ କାନିରେ ସମସ୍ତେ ଥରହର
କାକର ଗଳୁଛି ଟପ୍ ଟପ୍ ପତ୍ରରେ ମର୍ମର
ଆଗ ବି ଦିଶୁନି ବହଳ ଅନ୍ଧାର
ପଛର ଦୃଶ୍ୟପଟ ଆହୁରି ଭୟଙ୍କର
ଆଉ ଏଭଳି ବହଳ ଅନ୍ଧକାରେ
ହୃଦୟର ଧକଧକ୍ ବନ୍ଦ ହେବାକୁ ହକହକ୍
ଜୀବନ ଦୀପଟା ଅକାଳେ ସକାଳେ
ଲିଭିବ ଲିଭିବ ହେଲାଣି ମୁହ୍ୟମାଣ
ପାଣିର ଠିକଣା ଅଜଣା
ପାଣି ପିଇବା କଥା ଛାଡ଼
ଦାନ୍ତ ସହିତ ଦାନ୍ତ ଯୁଦ୍ଧ ମୋଡ଼ରେ
କଡ଼ମଡ଼ ଭଣଭଣ ଝଣଝଣ
ବାମ୍ଫ ବାହାରୁଛି ପାଟି ଖୋଲିଲେ
ଧୂଆଁ ଉଦଗୀରଣ
ସୁପ୍ତ ଆଗ୍ନେୟଗିରୀ ଅଚାନକ ଫାଟିଛି
ଲାଲ୍ ଟହଟହ ଲାଭା ବାହାରିବା ପୂର୍ବରୁ
ଧୂମ୍ରକୁଣ୍ଡଳୀର ଛୋଟ ମୋଟ ଆସ୍ତରଣ
ପାଣି ଛୁଇଁବାକୁ ଲାଗୁଛି ଡର
ଥଣ୍ଡା ପାଣିରେ ଗାଧୋଇବା ମାନେ
ବିନା ତୁଳସୀ ପାଣିରେ
ବିନା ଗଙ୍ଗା ଜଳରେ
ମୋଷ ମାର୍ଗ ପ୍ରସସ୍ଥ ମାର୍ଜଣା
ପିମ୍ପୁଡିକୁ ଦେଖ
ମାଙ୍କଡ ମାନଙ୍କୁ ଦେଖ
ଗୁଣ୍ଡୁଚି ଅସରପା ମାନଙ୍କୁ ଦେଖ
ଶୀତକୁ ଫିଙ୍ଗିଦେଇ ଗାଉଛନ୍ତି ଗୀତ
ନିଶ୍ଚିନ୍ତରେ ଚିରାଚରିତ ଢଙ୍ଗରେ ଜିଉଁଛନ୍ତି ମିତ
ଧାନ କାଟୁଥିବା କୃଷକ
ବିଡ଼ାଭାର କାନ୍ଧରେ ପୁଙ୍ଗୁଳା
ଶ୍ରମିକ
ସିମେଣ୍ଟ ଗୋଳଉଥିବା ଦାଦନ ମୂଲିଆ
ରାସ୍ତା ନିର୍ମାଣରେ ମାଟି ଝୋଡ଼ା ମୁଣ୍ଡେଇ ହାଲିଆ
ମଞ୍ଜଥରା ଶୀତ କଥା ପଚାରିଲେ
ମୁରୁକି ହସି ଅନାନ୍ତି କେହି କେହି
ଦାୟିତ୍ବର ବୋଝ ଆଗରେ ମୁଣ୍ଡ ନୁଆଁଇ ନୁଆଁଇ
ଶୀତ ମାଉସୀ ଆମକୁ କୋଳେଇ ନିଏ ପିଠି ଆଉଁସେଇ ।
