ଖ୍ୟାତିର ଅଭାବେ
ଖ୍ୟାତିର ଅଭାବେ
କବିତା - ଖ୍ୟାତିର ଅଭାବେ
ରଚନା - ପଞ୍ଚାନନ ଜେନା
ତାରିଖ -୨୭-୦୨-୨୦୨୬
+++++!+++++++++
ଜୀବନର ସଜ୍ଞା
ଶବ୍ଦର ପ୍ରଜ୍ଞା ପ୍ରୟୋଗ ବାହାରେ
ଅନୁଭବର ଅଭିନବ ପଦକ୍ଷେପ
ପ୍ରତି ବାଙ୍କ ବୁଲାଣିରେ
ନେବାକୁ ନିର୍ଦ୍ଦେଶ ଦିଏ ହାଙ୍କେରେ
ଯିଏ ଇଙ୍ଗିତର ଇଶାରା ବୁଝିଗଲା
ଦୀପଟିଏ ପରି ଆପେ ଆପେ ଜଳିଉଠେ
ଅନ୍ଧାର ଦୂରିଭୂତ କରିପାରେ
ସମସ୍ୟାର ସମାଧାନ ସୂତ୍ର ବାହାର କରିପାରେ
ଯିଏ ମାନିନେଲା ବିବେକର ଡାକରା
ବଂଶୀସ୍ୱନ ପରି ଆପେ ଆପେ ବାଜୁଥାଏ
ଖୁସିର ମହାର୍ଘ ମୁହୁର୍ତ୍ତ ସବୁ
ମହ ମହ ବାମ୍ଫରେ
ଜୀବନର ଅକ୍ଷ୍ୟପଥେ କକ୍ଷ୍ୟପଥେ
ଖାଲି ଘୁରୁଥାଏ ଘୁରଉଥାଉ
ହସଖୁସିରେ
ଯିଏ ବୁଝିଗଲା ଏହି ଅଛିଣ୍ଡା ଗଣିତର ଛିଣ୍ଡାସୂତ୍ର
ଏକବର୍ଣ୍ଣି ଚଢ଼େଇ ପରି ଡାଳକୁ ଡାଳ ଡେଇଁ ବୁଲୁଥାଏ
ଆସୁ କି ନ ଆସୁ ଗୀତ ଗାଉଥାଏ
ମନଇଚ୍ଛା
ଗୁଣୁ ଗୁଣେଇ ଶୁଣାଉଥାଏ
ସତେ ଯେମିତି ତା' ଖୁସିର ଝଲକ ସମସ୍ତଙ୍କୁ ଦେଖେଉଥାଏ
ଯଦି ଅଳ୍ପ ବହୁତେ ମୂଳମନ୍ତ୍ରରୁ କାଣିଚାଏ ବୁଝିଗଲା
ଦୂର ଆକାଶର ଚାନ୍ଧୁଆ ତଳେ ତାରା - ବଲ୍ବ ହୋଇ ଝଟକୁଥାଏ
ମିଞ୍ଜି ମଞ୍ଜି ବରଂ ହେଉ ଟର୍ଚ୍ଚ ଲାଇଟ ପରି ଚହଟୁଥାଏ
କ୍ଷୀଣପ୍ରଭ ବରଂ ଦେଇ ଜୀବନର ଅମା ଅନ୍ଧାରକୁ
ଅଳ୍ପ ସ୍ଵଳ୍ପ ହଟଉଥାଏ
ବୋଧହୁଏ
ଜୀବନରେ ନମ୍ର କମ୍ର ବିନୟୀ ଭାବେ
ଅନୁଭବରେ ହସ ହସ ମୁହଁରେ ସ୍ଵଭାବେ
ଧନ ରତ୍ନ ଟଙ୍କା ରୋଜଗାର ଉପରେ ପ୍ରଭାବେ
ଦେଶୀ ଘିଅ ପରି ବାସୁଥାଏ ଖ୍ୟାତିର ଅଭାବେ
