ଇଶାରା ଈଶ୍ଵରୀ
ଇଶାରା ଈଶ୍ଵରୀ
କବିତା - ଇଶାରା ଈଶ୍ବରୀ
ରଚନା - ପଞ୍ଚାନନ ଜେନା
ତାରିଖ -୨୮-୦୨-୨୦୨୬
++++++++++++++++
ତିଅଣ ଉଜାର ଭୁରୁଭରୁ ବାସ୍ନା ପରି
ଲୁହର ବି ଥାଏ ବାସ୍ନା ଲହରୀ
ଫୁଲ ଫଗୁଣର ମହମହ ବାସ୍ନା ପରି
ଲୁହର ବି ଥାଏ ଭାଷା ମାଧୁରୀ
ମେଘ ମହ୍ଲାରର ଟୁପୁର୍ ଟାପୁର୍ ସ୍ଵର ପରି
ଲୁହର ବିଛନ୍ଧ ସ୍ଵର ରାଗିଣୀ
ବିକଳ କୋମଳ ଲୁହରେ ପ୍ରତିଧ୍ୱନିତ ତରଙ୍ଗୀଣୀ
ସତେ ଯେମିତି ଲୁହ ବିପଣି
ଜୋତ୍ସ୍ନାବିଧୌତ ରଜନୀରାଣିର ଆଖିରୁ
ଯେବେ ଟପ୍ ଟପ୍ ଝରିଯାଏ ମୁକୁତାର ଲୁହ
ଆଖି ନଦୀରେ ଜୁଆରିଆ ସୁଅ
ଜଳ ତରଙ୍ଗରେ ତରଙ୍ଗାୟିତ ଛାତିଫଟା କୋହ
ନୀଳାମ୍ବୁ ନୀଳସିକ୍ତ ସ୍ବପ୍ନସବୁ
ବୋହିଯାଏ ଧୋଇଯାଏ
ସାରିଦେଇ ଅବ୍ୟକ୍ତ ମୋହ
ଫାଲଗୁନ ମାସରେ ଯେବେ ଫଗୁଣ ଆସେ
ମନ ହୃଦୟର ଭାଷା ଆଖିରେ ବାସେ
ଆତ୍ମା ଅଳିନ୍ଦରେ ବାନ୍ଧେ ବାଇ ଚଢ଼େଇର ବସା
କିଛି ଅବୁଝା ଭାବ ବିନିମୟରେ
କିଛି ଅପରିଚିତ ଭାବନା ବିନ୍ୟାସରେ
ସଂପର୍କର ଡୋରୀ ଲମ୍ବୀ ଯାଏ ଦିଗନ୍ତ ବିସ୍ତାରୀ
ଆଖି ପାଏ ନାହିଁ ଯହିଁ ସହସ୍ର ଯୋଜନ ପାରି
ଅବିଶ୍ଵାସନୀୟ ହେଲେ ବି ସତ
ଆଖି କଥା କହିପାରେ ମୌନୀ ଅବତାରୀ
ଛନ୍ଦ କପଟ ତୋଳି ପାରେ ଇଶାରା ଈଶ୍ଵରୀ
ଶତ କଦମ୍ବ ଫୁଟେଇ ପାରେ ହୃଦୟ ମୟୁରୀ
ନଦୀର କୁଳୁକୁଳୁ ନାଦିନୀ ଅବ୍ୟକ୍ତ ଭାଷା ପରି
ଝରଣାର ନିମ୍ନଗାମିନୀ ଅବୁଝା ରାଗିଣୀ ପରି
ଆଖି କୋଣର ଶବ୍ଦ ସମ୍ମୋହନ
ନୀରବେ ଗରବେ ଛୁଇଁ ପାରେ
ହୃଦୟରୁ ହୃଦୟକୁ ସ୍ପର୍ଶ କରିପାରେ
ରାଗ ମେଘ ମହ୍ଲାର ପରି ଲହରେଇ ପାରେ
ପ୍ରେମ ଫଲଗୁ ଧାର ପରି ପ୍ଳାବିତ କରି ପାରେ
