ପେଟରା
ପେଟରା
ବେତ ରେ ତିଆରି ପୁରୁଣା ଟ୍ରେଜେରୀ
ଜେଜେ, ଜେଜେମାଆ ବେଳର,
ଅଲୋଡା ଆଜିସେ ଅରମା ଗଦାରେ
ଆଦର ନାହିଁ ବି ତାହାର;
ନାହିଁ କାହିଁ କାହୁଁ ମିଳିବ,
ପେଟରା ଶବଦ ଲୋପ ହୋଇଅଛି
ସେ ଏକ ଅଦେଖା ଦରବ ।
ପାଟ ଲୁଗା ଧୋତି ସେଥିରେ ସାଇତି
ରଖୁଥିଲେ ଆଗ କାଳରେ,
ଆଧୁନା ତାହାର ବିକଳ୍ପ ଭାବରେ
ରଖା ହୁଏ ଆଲମିରାରେ;
ସୁନା ରୂପା ଗଢା ଗହଣା,
ସାଇତି ରଖନ୍ତି ଟଙ୍କା ପଇସା ବି
ଆଜି ସିଏ ବାଟ ବଣା ।
ଆଭିଜାତ୍ୟର ଅଭିନ୍ନ ଅଙ୍ଗ ସେ
ଧନୀକ ଘରର ଟ୍ରେଜେରୀ,
ଝିଅ ଆଣୁଥିଲା ବାହାଘର ବେଳେ
ଶାଶୁଘରେ ତାର ଡାଉରୀ;
ସେକାଳ ପଖାଳ କଥା,
ଆଜି ତାର ରୂପ ସମ୍ଭାର ନିଶ୍ଚିହ୍ନ
ନାହିଁ ତାର ମାଦକତା ।
ଅପୂର୍ବ ସେ କାରିଗରୀ କଉଶଳ
ଦେଖିବାକୁ ଯେତେ ସୁନ୍ଦର,
ବୁଣିବା ସେତିକି ଗହନ ବ୍ୟାପାର
କିଏ ଦେବ ମୂଲ ତାହାର;
ସେଥି ପାଇଁ ସେହି ଦରବ,
ବୁଣା ହେଉନାହିଁ ଲୋପ ପାଇଯାଏ
ଓଡିଆ ଅସ୍ମିତା ଗୌରବ ।
ସୁକ୍ଷ୍ମ କାରୁକାର୍ଯ୍ୟ ଖଚିତ ପେଟରା
ମୋ ପୂର୍ବ ପୁରୁଷ ବୈଭବ,
ତୁମକୁ ଦେଖିଲେ ମନେପଡିଯାନ୍ତି
ମାଆ,ଆଈ ଯତେ ସମ୍ଭବ;
ସଂଗ୍ରହାଳୟର ସୁନ୍ଦର,
ବଢାଇ ଦେଇଛ ପେଟରା ତୁମେ ହେ
ନାହିଁ ତୁମର ପଟାନ୍ତର ।